ପ୍ରଧାନମନ୍ତ୍ରୀ ମୋଦି ମତେ ସହି ପାରୁ ନାହାଁନ୍ତି: ମମତା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବିତ ରୋମ ଗସ୍ତକୁ ନେଇ ବିବାଦ ଦେଖାଦେଇଛି । ଆସନ୍ତା ଅକ୍ଟୋବରରେ ମମତା ଇଟାଲିର ରୋମରେ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମଳନୀରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେଇନାହାନ୍ତି । ରାଜନୈତିକ କାରଣ ପାଇଁ ମମତାଙ୍କ ଗସ୍ତକୁ ଅନୁମତି ମିଳି ନାହିଁ ବୋଲି କୁହାଯାଇଛି । ଏହି ଶାନ୍ତି ସମ୍ମିଳନୀରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ, ପୋପ ଫ୍ରାନସିସ ଏବଂ ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିହି ଯୋଗ ଦେବେ । ମଦର ଟେରେସାଙ୍କ ଉପରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବରୁ ଇଟାଲୀ ସରକାର ମମତାଙ୍କୁ କୌଣସି ପ୍ରତିନିଧି ସହ ଯିବାପାଇଁ ମନା କରିଥିଲେ । ମମତା ବାନାର୍ଜୀ ଏହା ପରେ ବିଦେଶ ମନ୍ତ୍ରାଳୟର ସ୍ୱୀକୃତି ଚାହିଁଥିଲେ । କିନ୍ତୁ ଏଥିପାଇଁ ଅନୁମତି ମିଳିଲାନି । ଟିଏମସି ଉକ୍ତ ଘଟଣାରେ ତୀବ୍ର ପ୍ରତିକି୍ରୟା ରଖିଛି । ଟିଏମସି ମୁଖପାତ୍ର ଦେବାଙ୍ଗସୁ ଭଟ୍ଟାଚାର୍ଯ୍ୟ ଦେବ ଏକ ଟ୍ୱିଟ କରି କହିଛନ୍ତି, କେନ୍ଦ୍ର ସରକାର ଦିଦିଙ୍କ ରୋଗ ଗସ୍ତକୁ ଅନୁମତି ଦେଇନାହାନ୍ତି । ପୂର୍ବରୁ ସେମାନେ ଦିଦିଙ୍କ ଚୀନ ଗସ୍ତକୁ ମଧ୍ୟ ଅନୁମତି ଦେଇନଥିଲେ । ଅନ୍ତର୍ଜାତୀୟ ସମ୍ପର୍କକୁ ଦୃଷ୍ଟିରେ ରଖି ଆମେ ପୂର୍ବନିଷ୍ପତ୍ତିକୁ ଗ୍ରହଣ କରିଥିଲୁ । ପଶ୍ଚିମବଙ୍ଗ ସହ ସମସ୍ୟା କଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ମମତା ମଧ୍ୟ ଏ ନେଇ ତାଙ୍କ ପ୍ରତିକି୍ରୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସହ୍ୟ କରିପାରୁନାହାନ୍ତି ବୋଲି ସେ କହିଛନ୍ତି ।
Powered by Froala Editor