ଏକର ଏକର ଧାନ ଫସଲ ଦଳିଦେଲେ ହାତୀପଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟ୍ ଭାଲିଆଡ଼ାଳ ଗାଁରେ ୮ ଟିକିଆ ହାତୀପଲ ଉପଦ୍ରବ ଚଳାଇଛନ୍ତି । ଏକର ଏକର ଧାନ ଫସଲ ଦଳି ନଷ୍ଟ କରି ଦେଇଛନ୍ତି । ଏଥିସହି ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଶନିବାର ବିଳମ୍ବିତ ରାତିରେ ହାତୀପଲ ଗୁଣ୍ଡରିଯୋଡା ଗାଁ ନିକଟକୁ ଆସିଥିଲେ । ଲୋକମାନେ କରିଥିବା ଧନ ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଅଧିକାରୀମାନେ ପହଞ୍ଚି ହାତୀ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ସଫଳ ହୋଇନଥିଲେ । ରବିବାର ବିଳମ୍ବିତ ରାତିରେ ହାତୀପଲ ଭାଲିଆଡାଳ ଗାଁ ନିକଟରେ ପହଞ୍ଚି ଉପଦ୍ରବ ଆରମ୍ଭ କରିଥିଲେ । କୌଳାସ ମହାନ୍ତ, ଶୁକଦେବ ପାତ୍ର, ଯୁଗଳ ଦେହୁରୀ, ବିରବର ଦେହୁରୀଙ୍କ ୧୦ ଏକରରୁ ଅଧିକ ଧାନ ଫସଲ ନଷ୍ଟ କରି ଦେଇଛନ୍ତି । ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀମାନେ ହାତୀପଲକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ବିଫଳ ହୋଇଥିଲେ । ଏବେ ମଧ୍ୟ ହାତୀପଲ ଗାଁ ନିକଟସ୍ଥ ଜଙ୍ଗଲରେ ଅଛନ୍ତି । ରାତିରେ ପୁଣି ଆସି ଫସଲ ନଷ୍ଟ କରିବାର ସମ୍ଭାବନା ରହିଛି । ତେଣୁ ତୁରନ୍ତ ବନ ବିଭାଗ ହାତୀପଲକୁ ଘଉଡ଼ାଇବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
Powered by Froala Editor