ହାରିସଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ଅବସରରେ ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ଗତକାଲି ପ୍ରାୟ ୯୦ ମିନିଟ ଆଲୋଚନା କରିଥିଲେ । ଏହି ଅବସରରେ ମୋଦୀ ହାରିସଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । ୫୬ ବର୍ଷୀୟ ହାରିସଙ୍କୁ ମୋଦୀ ୫ ଦଶନ୍ଧିର ଏକ ସରକାରୀ ବିଜ୍ଞପ୍ତି ଉପହାର ଦେଇଛନ୍ତି । ମୋଦୀ ଉପହାର ଦେଇଥିବା ୧୯୬୬ ମସିହାର ସରକାରୀ ବିଜ୍ଞପ୍ତିରେ ହାରିସଙ୍କ ଜେଜେବାପା ପିଭି ଗୋପାଳନଙ୍କ ନାମ ଲେଖା ଅଛି । ଏହି ବିଜ୍ଞପ୍ତିକୁ ଏକ କାଠ ଫ୍ରେମରେ ବନ୍ଧାଇ ଦିଆଯାଇଛି । ପିଭି ଗୋପାଳନ ଜଣେ ଖାତିସଂପନ୍ନ ସରକାରୀ ଅଧିକାରୀ ଥିଲେ । ବିଭିନ୍ନ ବିଭାଗରେ ସେ କାର୍ଯ୍ୟ କରିଛନ୍ତି । ହାରିସ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଆମେରିକାର ଉପରାଷ୍ଟ୍ରପତି ହୋଇଥିବାରୁ ଏଥିପାଇଁ ଭାରତୀୟମାନେ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମୋଦୀ ମଧ୍ୟ ଉତ୍ତରପ୍ରଦେଶର ବାରଣାସୀରେ ପ୍ରସ୍ତୁତ ଏକ ଚେସ ସେଟ ତାଙ୍କୁ ଉପହାର ଦେଇଛନ୍ତି । ହାରିସଙ୍କୁ ସାକ୍ଷାତ କରିବାପରେ ମୋଦୀ କିଛି ଫଟୋ ପୋଷ୍ଟ କରିଛନ୍ତି । ଭାରତ-ଆମେରିକା ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବାପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ମୋଦୀ କହିଛନ୍ତି । ଉଭୟ ଦେଶର ରଣନୀତିକ ସଂପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରୟାସ ଜାରି ରହିଛି ଏବଂ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ନିଜର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରୁଛନ୍ତି ବୋଲି ହାରିସ କହିଛନ୍ତି ।
Powered by Froala Editor