ସ୍ୱାମିଙ୍କୁ ବଞ୍ଚାଇବା ପାଇଁ ଯାଇଥିଲେ, ପୁଲିସ ପ୍ରେମରେ ପଡ଼ି ଫେରାର ହେଲେ ମହିଳା
ଭୁବନେଶ୍ୱର: ସ୍ୱାମୀଙ୍କୁ କାରଗାରରୁ ମୁକ୍ତ କରିବା ପାଇଁ ଯାଇଥିବା ମହିଳା ପୁଲିସ ପ୍ରେମରେ ପଡ଼ି ଫେରାର ହୋଇଯାଇଥିଲେ । ତେବେ କାରଗାରରୁ ମୁକୁଳିବା ପରେ ସ୍ତ୍ରୀ ନିଖୋଜ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ ସ୍ୱାମୀ । ପୁଲିସ ଘଟଣାର ଅନୁସନ୍ଧାନ କରି ଶେଷରେ ନିଖୋଜ ମହିଳାଙ୍କୁ ପଶ୍ଚିମଙ୍ଗ ମେଦିନିପୁର ଅଞ୍ଚଳରୁ ଉଦ୍ଧାର କରିଛି । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ କପିଳେଶ୍ୱର ଅଞ୍ଚଳରେ ଭଡାରେ ରହୁଥିବା ଜଣେ ଯୁବକ କଫ ସିରପ ବିକିବାକୁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରେ ସ୍ଥାନୀୟ ପୁଲିସ କଫ ସିରପ ବିକିବା ଅଭିଯୋଗରେ ଗିରଫ କରି ତାଙ୍କୁ ଜେଲ ପଠାଇଥିଲେ । ସମ୍ପୃକ୍ତ ଥାନାର ଜନୈକ କନଷ୍ଟେବଳ ତାଙ୍କ ବ୍ୟକ୍ତିଗତ ଫୋନରୁ ଅଭିଯୁକ୍ତର ସ୍ତ୍ରୀକୁ ଫୋନ କରି ଗିରଫ ଖବର ଦେଇଥିଲେ । ସ୍ୱାମୀକୁ ମୁକୁଳାଇବା ପାଇଁ ପଶ୍ଚିମବଙ୍ଗ ଯାଇଥିବା ମହିଳା ଶେଷରେ କନଷ୍ଟେବଳ ପ୍ରେମରେ ପଡି ସେଠାରେ ଅଟକି ରହିଥିଲେ । ଏଣେ ସ୍ୱାମୀକୁ ଜାମିନ ମିଳିବା ପରେ ସେ ଭୁବନେଶ୍ୱର ଫେରି ଆସି ସ୍ତ୍ରୀକୁ ଖୋଜିଥିଲେ । ସ୍ତ୍ରୀଙ୍କ ସନ୍ଧାନ ନ ପାଇ ନିରାଶ ହୋଇ ଶ୍ରୀଲିଙ୍ଗରାଜ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ଅନୁସନ୍ଧାନ କରି ଶେଷରେ ପଶ୍ଚିମବଙ୍ଗ ମେଦିନିପୁରରୁ ନିଖୋଜ ମହିଳାଙ୍କୁ ଠାବ କରିବା ବେଳେ ପୁଲିସ ସହ ମହିଳାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା ।
Powered by Froala Editor