ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର : କୋଭିଡ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର
କୋଭିଡ୍ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ। ଏ ନେଇ ସୁପ୍ରିମକୋର୍ଟକୁ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ତେବେ କୋଭିଡ୍ କାରଣରୁ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ କେବଳ ଏହି କ୍ଷତିପୂରଣ ମିଳିବ ତା' ନୁହେଁ। ଭବିଷ୍ୟତରେ ମଧ୍ୟ କୋଭିଡ୍ କାରଣରୁ ମୃତ୍ୟୁ ହେଲେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ରାଜ୍ୟସରକାର ସେମାନଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ବହନ କରିବେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଯୋଗ୍ୟ ଆଶାୟୀଙ୍କୁ ପ୍ରଦାନ କରାଯିବ।
କରୋନାରେ ପ୍ରାଣ ହରାଉଥିବା ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଅର୍ଡ଼ର କରିଥିଲେ। ଏହି ପରିମାଣ କେତେ ହେବ ସେ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ଗାଇଡଲାଇନ୍ସ ଜାରି କରିବା ସମ୍ପର୍କରେ କୋର୍ଟ କହିଥିଲେ। କୋଭିଡ୍ ମୃତକଙ୍କ ପରିବାରକୁ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ଆବେଦନ ହୋଇଥିଲା।
କେନ୍ଦ୍ର ସରକାର କ୍ଷତିପୂରଣ ପ୍ରସଙ୍ଗରେ କହିଥିଲେ ଯେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇେହବ ନାହିଁ। କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ। ରାଜ୍ୟମାନେ ଅନ୍ୟ ବିପର୍ଯ୍ୟୟର ମୁକାବିଲା କରିପାରିବେ ନାହିଁ। ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏନ୍ଡିଏମ୍ଏର ଧାରା ୧୨ରେ ବିପର୍ଯ୍ୟୟ ମୃତ୍ୟୁରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି । ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ। ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି।
ସେହି ଅନୁସାରେ ରାଜ୍ୟ ସରକାରମାନେ ସେମାନଙ୍କ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥି ଲାଗି ପୈଠ କରିବେ। ଆବଶ୍ୟକ କାଗଜପତ୍ର ଦାଖଲ କରିବାର ୩୦ ଦିନ ମଧ୍ୟରେ ଏହାକୁ ବିଚାର କରାଯାଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଆଧାରକାର୍ଡ ସହ ଲିଙ୍କ୍ରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।
ଗତ ବର୍ଷ ମାର୍ଚ୍ଚଠାରୁ ଭାରତରେ କୋଭିଡ୍ କାରଣରୁ ୪.୪୫ ଲକ୍ଷ ମୃତ୍ୟୁ ହୋଇଛି। କିଛି ରାଜ୍ୟ କୋଭିଡ୍ ମୃତକଙ୍କ ପରିବାର ଲାଗି କ୍ଷତିପୂରଣ ଘୋଷଣା କରିସାରିଛନ୍ତି। ଏହି ତାଲିକାରେ ବିହାର (ପ୍ରତି ପରିବାର ପିଛା ୪ ଲକ୍ଷ), ମଧ୍ୟପ୍ରଦେଶ (୧ ଲକ୍ଷ) ଓ ଦିଲ୍ଲୀ (୫୦ ହଜାର) ରହିଛନ୍ତି।
Powered by Froala Editor