ଷ୍ଟାଫ ସିଲେକ୍ସନ ଦୁର୍ନୀତି :ବିରଂଚିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସଏସସି) ସଦସ୍ୟଙ୍କ ପୂର୍ବତନ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ବିରଂଚିଙ୍କୁ ଜାମିନରେ ଛାଡିବେ । ଜାମିନରେ ଯିବାପରେ ସେ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବିରଞ୍ଚିଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିରଂଚିଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ବିରଞ୍ଚିଙ୍କୁ ଗିରଫ କରିଥିଲା । ବିରଂଚିଙ୍କ ୩ କୋଟି ୫୧ ଲକ୍ଷ ୫୧ ହଜାର ୯୨୧ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଥିବା ତଦନ୍ତ ସମୟରେ ଜଣାପଡିଥିଲା । ଆୟ ବହିର୍ଭୂତ ସଂପତି ଠୁଳ ପାଇଁ ବିରଂଚିଙ୍କୁ ତାଙ୍କ ପତ୍ନୀ ଓ ସଢୁ ସହାୟତା କରିଥିବା ଅଭିଯୋଗ ହୋଇଥିଲା । ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଥିବା ବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଳିଥିଲା । ୨୦୨୧, ଅଗଷ୍ଟ ୧୮ରେ ବିରଞ୍ଚିଙ୍କ ପତ୍ନୀଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଥିଲା । ଅନ୍ୟପକ୍ଷରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବାପରେ ବିରଞ୍ଚି ହାଇକୋର୍ଟରେ ଆବେଦନ କରିଥିଲେ । ବିରଞ୍ଚିଙ୍କ ପକ୍ଷରୁ ଆଇନଜୀବୀ ସ୍ମୃତିରଂଜନ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।
Powered by Froala Editor