ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍ : ରାହୁଲ ଗାନ୍ଧୀ
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା ଦାବି କରୁଛନ୍ତି ବୋଲି ନୂଆଦିଲ୍ଲୀରେ ଖବରଦାତା ସମ୍ମିଳନୀରେ କହିଛନ୍ତି ରାହୁଲ ଗାନ୍ଧୀ।
ନୂଆଦିଲ୍ଲୀରେ ଶିକ୍ଷାର୍ଥୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଦେଶରେ ୧୫୨ ଥର ପେପର ଲିକ୍ ଘଟିଛି। କିନ୍ତୁ ଏତେ ବଡ଼ ଘଟଣା ସତ୍ତ୍ୱେ ଜଣେ ବି ଦୋଷୀଙ୍କୁ ଦଣ୍ଡ ମିଳିନାହିଁ। ଏହା ଶିକ୍ଷା ବ୍ୟବସ୍ଥାର ବଡ଼ ବିଫଳତା ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଶିକ୍ଷା ବ୍ୟବସ୍ଥା ପରିଚାଳନାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
ତେଣୁ ସେ ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ଦେବା ଉଚିତ। ଏଥିସହ ରାହୁଲ ଅଭିଯୋଗ କରିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦେଶର ଶିକ୍ଷା ବ୍ୟବସ୍ଥାକୁ କବଜା କରି ଏହାକୁ ଧ୍ୱଂସ କରୁଛନ୍ତି।
ଶାନ୍ତିପୂର୍ଣ୍ଣ ଭାବେ ନିଜ ହକ୍ ମାଗୁଥିବା ନିରୀହ ଛାତ୍ରୀଛାତ୍ରଙ୍କ ଉପରେ ବନ୍ଧୁକ ଦେଖାଯାଉଛି ଓ ସେମାନଙ୍କୁ ମାଡ଼ ମରାଯାଉଛି। ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ଓ ବ୍ୟୟବହୁଳ ହୋଇପଡ଼ିଥିବାବେଳେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଯୋଗୁ ବହୁ କୋଟି ଛାତ୍ରୀଛାତ୍ର ମାନସିକ ଚାପ ଓ ଅବସାଦ ଭିତରକୁ ଠେଲି ହୋଇଯାଉଛନ୍ତି। ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୫୨ଟି ପ୍ରଶ୍ନପତ୍ର ଲିକ୍ ଘଟଣା ଘଟିଥିବା ବେଳେ ଜଣଙ୍କୁ ବି ଦଣ୍ଡିତ କରାଯାଇନାହିଁ। ଏହାଦ୍ୱାରା ପ୍ରାୟ ୭.୫ କୋଟି ଛାତ୍ରୀଛାତ୍ର ଓ ସେମାନଙ୍କ ପରିବାର ପ୍ରଭାବିତ ହୋଇଛନ୍ତି। ପରିବାରଗୁଡ଼ିକ ପରୀକ୍ଷା ପାଇଁ ବାର୍ଷିକ ପ୍ରାୟ ୧.୩୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଶେଷ ସମୟରେ ପରୀକ୍ଷା ରଦ୍ଦ ହେବା ଏକ ପ୍ରକାର ଚୋରି ସହ ସମାନ ବୋଲି ସେ ଆଖ୍ୟା ଦେଇଛନ୍ତି।
Powered by Froala Editor