ଜନ୍ମ ହୋଇ ତଳେ ପଡିଗଲା ଶିଶୁ : ମା’ ଓ ଶିଶୁର ମୃତ୍ୟୁ

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ପରେ ଜଣେ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି। ମୃତା ମହିଳା ଜଣଙ୍କ ହେଲେ କିର୍ମିରା ବ୍ଲକ୍ ନକ୍ସାପାଲି ଗ୍ରାମର ପ୍ରଶାନ୍ତ ବେହେରାଙ୍କ ସ୍ତ୍ରୀ ସୁନୀତା ବେହେରା (୩୦)। ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।
ସୋମବାର ଅପରାହ୍ନରେ ନକ୍ସାପାଲି ଗାଁର ସୁନୀତା ବେହେରାଙ୍କୁ ଗ୍ରାମର ଆଶାକର୍ମୀ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗର୍ଭ ଯନ୍ତ୍ରଣାରେ ଛଟପଟ ସୁନୀତାକୁ ଦେଖିବାକୁ କେହି ଡାକ୍ତର ନଥିବାରୁ ନର୍ସଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା । ଆଜି ସକାଳୁ ସୁନୀତା ଗର୍ଭ ଯନ୍ତ୍ରଣା ସହି ନପାରିବାରୁ ତାଙ୍କୁ ଲେବର ରୁମକୁ ନିଆଯିବା ସମୟରେ ଶିଶୁପୁତ୍ରଟିଏ ଜନ୍ମ ହୋଇ ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲା। ଅଳ୍ପସମୟର ବ୍ୟବଧାନରେ ମା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଠିକ ସମୟରେ ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ ଉପଯୁକ୍ତ ଚିକିତ୍ସା ମିଳି ପାରିନଥିଲା । ବିଳମ୍ବରେ ଡାକ୍ତର ପହଞ୍ଚି ଚିକିତ୍ସା କରିବା ବେଳକୁ ସୁନୀତାର ମୃତ୍ୟୁ ହୋଇ ସାରିଥିଲା । ଉଭୟ ନାବଜାତ ଶିଶୁ ଓ ମାର ମୃତ୍ୟୁକୁ ନେଇ ନକ୍ସାପାଲି ଗାଁରେ ଶୋକର ଛାୟା ଖେଳିଯାଇଛି । ଏ ନେଇ ମୃତକଙ୍କ ପରିବାର ତରଫରୁ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ଏହାର ତଦନ୍ତ କରାଯିବ ବୋଲି ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ମୁଖ୍ୟ ଚିକିତ୍ସକ ଡା. ଡୋଲାମଣି ପଟେଲ କହିଛନ୍ତି।
Powered by Froala Editor