ବିଜେଡିରେ ଯୋଗ ଦେବେ ବିଭିନ୍ନ ଦଳରୁ ବହୁ ନେତା:ସୁଦାମ ମାର୍ଣ୍ଡି
ବାରିପଦା : ସୋମବାର ବିଜେଡିରେ ଯୋଗ ଦେଇଛନ୍ତି ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍ । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମହେଶଙ୍କ ସମେତ ଜେଏମଏମର ବରିଷ୍ଠ ନେତା ରାମଚନ୍ଦ୍ର ମୁର୍ମୁ, ଗୋବିନ୍ଦ ସୋରେନ, କୁସୁମୀ ବ୍ଲକ୍ ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ, ଭୀମ ନାଏକଙ୍କ ସମେତ ଏକାଧିକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ଶତାଧିକ ସମର୍ଥକ ବିଜେଡିରେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବରେ ଉପସ୍ଥିତ ମୟୂରଭଞ୍ଜ ବିଜେଡି ଜିଲ୍ଲା ସଭାପତି ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏଥି ସହିତ ଆଗାମୀ ଦିନରେ ମୟୂରଭଞ୍ଜରେ ବିଭିନ୍ନ ଦଳରୁ ବହୁ ନେତା ବିଜେଡିରେ ମିଶିବେ ବୋଲି ସୁଦାମ ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ମିଶ୍ରଣ ପର୍ବରେ ଶ୍ରୀ ମାର୍ଣ୍ଡିଙ୍କ ସମେତ ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଜନ୍ମେଞ୍ଜୟ ଲେଙ୍କା, ପ୍ରାକ୍ତନ ସାଂସଦ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ୍, ବରିଷ୍ଠ ବିଜେଡି ନେତା ପ୍ରତାପ କେଶରୀ ଦେବ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିର ଏହି ମିଶ୍ରଣ ପର୍ବ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ରୋଚକ କରିବ ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor