ଶାନ୍ତିପୂର୍ଣ୍ଣ ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ପିପିଲି: ପିପିଲି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ଲୋକଙ୍କ ମନରେ ସାହସ ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁରୀ ଏସପି କେ ବିଶାଳ ସିଂହଙ୍କ ନିଦେ୍ର୍ଧଶକ୍ରମେ ସୋମବାର ଦିନ ବିଏସଏଫ, କେନ୍ଦ୍ରୀୟ ଓ ଓଡିଶା ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି । ଏହି ଫ୍ଲାଗମାର୍ଚ୍ଚ ପିପିଲି ଥାନାଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିଥିଲା । ପୁଲିସ ଡିଜି ଶ୍ରୀ ଅଭୟ ମଧ୍ୟ ଭିଡିଓ କନଫେରେନ୍ସିଂ ଜରିଆରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସୋମବାର ଫ୍ଲାଗମାର୍ଚ୍ଚରେ ପୁରୀ ଅତିରିକ୍ତ ଏସପି ପ୍ରଫୁଲ୍ଲ ବଡ଼ଜେନା, ଏସଡିପିଓ ଦେବଦତ୍ତ ବରାଳ, ପିପିଲି ଥାନା ଆଇଆଇସି ଅଭିମନୁ୍ୟ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଏହି ଉପନିର୍ବାଚନରେ ୩ କମ୍ପାନି ଅର୍ଦ୍ଧସାମରିକ ବାହିନୀ ଫୋର୍ସ ଓ ୨ କମ୍ପାନିି ଓଡ଼ିଶା ପୁଲିସ ଫୋର୍ସ ନିୟୋଜିତ ହେବା ସହିତ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଏସପି ଶ୍ରୀ ସିଂ କହିଛନ୍ତି । ଅନ୍ୟପକ୍ଷରେ, ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପୁଲିସ ଡିଜିପି ଶ୍ରୀ ଅଭୟ ଭିଡିଓ କନଫରେନସିଂ ଜରିଆରେ ବରିଷ୍ଠ ପୁଲିସ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ବୈଠକରେ ଆଜି କେନ୍ଦ୍ରୀୟ ରେଂଜ ଓ ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor