ଚାଷ ନିଶା, ଓଏଏସ ଚାକିରି ଛାଡ଼ି ଚାଷ କଲେ ଏହି ମହିଳା
ବାଲେଶ୍ୱର : ମନରେ ଗୋଟିଏ ନିଶା ଚାଷ କରିବି । ପରିବାର ଲୋକଙ୍କ ବିରୋଧ ପରେ ବି କିଛି ଶୁଣିଲେନି । ଚାକିରି କରି କାହା ଅଧୀନରେ ରହିବା ଅପେକ୍ଷା ସ୍ୱାଧୀନ ଭାବରେ ଜିଇଁବାକୁ ପସନ୍ଦ କଲେ । ଆଉ ଶେଷରେ ଓଏଏସ ଭଳି ୧୨ ବର୍ଷର ଲୋଭନୀୟ ଚାକିରି ଛାଡ଼ି ଚାଷକୁ ଆପଣେଇ ନେଲେ । ଇଣ୍ଟରନେଟ, ୟୁଟୁବ ଦେଖି ଆଧୁନିକ ଜ୍ଞାନକୌଶଳରେ ଆଜି ମୁକ୍ତାଚାଷ ଓ ସୁଗାର ଫ୍ରି ‘ଷ୍ଟିଭିଆ’ (ମିଠା ଜାତୀୟ ଗଛ) ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଖାଲି ସେ ଏକୁଟିଆ ନୁହେଁ, ଅନେକ ଲୋକଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରାଇଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ଆଜିର ଦିନରେ କୃଷି ଭଳି ବୃତ୍ତିକୁ ବାଛିଥିବା ଏହି ଉଚ୍ଚଶିକ୍ଷିତା ମହିଳା ଉଦ୍ୟୋଗୀ ଜଣକ ହେଉଛନ୍ତି ବାଲେଶ୍ୱର ରେମୁଣା ଗୋଲେଇ ବାସିନ୍ଦା ଡ. ନିନା ସିଂ (୪୯) । ଓଡ଼ିଶା ସିଭିଲ ସର୍ଭିସ (ଓଏଏସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୯୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ ଡ. ନିନା । ପରେ ବାଲେଶ୍ୱର, ଭଦ୍ରକ ଓ ଭୁବନେଶ୍ୱରେ ବିଭିନ୍ନ ପଦପଦବିରେ ୧୨ ବର୍ଷ ଚାକିରି କରିଥିଲେ । ନିନାଙ୍କର ପ୍ରଥମରୁ ବ୍ୟବସାୟ ପ୍ରତି ରୁଚି ରହିଥିଲା । ଚାକିରିରେ ମନ ନ ଲାଗିବାରୁ ସେ ଓଏଏସ ଛାଡ଼ିବାକୁ ସ୍ଥିର କରିଥିଲେ । ପରିବାର ଲୋକଙ୍କ ବିରୋଧ ପରେ ବି ଡ.ନିନା ଚାକିରି ଛାଡ଼ିଥିଲେ । ପ୍ରଥମେ ରେମୁଣାରେ ନିଜସ୍ୱ ଉଦ୍ୟମରେ ମୁକ୍ତା ଚାଷ ଆରମ୍ଭ କଲେ । ଏଥିରେ ସଫଳ ହେବାରୁ ଜିଲ୍ଲା ଓ ଜିଲ୍ଲା ବାହାରେ ୪ ଶହରୁ ଅଧିକ ଲୋକଙ୍କୁ ଚାଷ ପାଇଁ ତାଲିମ ଦେଲେ । ମୁକ୍ତା ଚାଷରେ ସଫଳତା ପାଇଁ ଏସୀୟ ମତ୍ସ୍ୟ ସମାଜ ପକ୍ଷରୁ ପ୍ରଫେସର ନନ୍ଦୀଶା କୃଷକ ଅଭିନବ ପୁରସ୍କାର ଓ ଆଇସିଏଆର-ସିଆଇଏଫଏ ଭୁବନେଶ୍ୱର ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଏବେ ସେ ଆଉ ଏକ ଚାଷ (ଷ୍ଟିଭିଆ) ଆରମ୍ଭ କରିଛନ୍ତି । ଦୁଇବର୍ଷ ହେଲା ଏହି ଚାଷ କରିବା ସହ ଷ୍ଟିଭିଆରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତି କରିବାରେ ସଫଳ ହୋଇଛନ୍ତି । ଯାହା ରାଜ୍ୟରେ ପ୍ରଥମ ବୋଲି ସେ କହିଛନ୍ତି । ଚାକିରି ଛାଡ଼ିବାକୁ ନେଇ ସେ କେବେ ବି ଅବସୋସ କରିନାହାନ୍ତି । ବରଂ ବେକାର ଯୁବଗୋଷ୍ଠୀ ଏହି ଚାଷ ପ୍ରତି ଆଗ୍ରହ ରଖି ରୋଜଗାରକ୍ଷମ ହୁଅନ୍ତୁ ବୋଲି ଡ.ନିନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
Powered by Froala Editor