ଲା ପାଲ୍ମା ଦ୍ବୀପରେ ଆଗ୍ନେୟଗିରି ଉଦ୍ଗୀରଣ

ରବିବାର ସ୍ପେନ୍ର ଆଟ୍ଲାଣ୍ଟିକ୍ ମହାସାଗର ମଧ୍ୟସ୍ଥ ଲା ପାଲ୍ମା ଦ୍ବୀପରେ ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି। ‘କେନେରି ଆଇଲାଣ୍ଡ୍ସ୍ ଭଲକାନୋଲୋଜି ଇନ୍ଷ୍ଟିଚ୍ୟୁଟ୍’ ରିପୋର୍ଟ ଅନୁସାରେ, ଦ୍ବୀପର ଦକ୍ଷିଣ ସୀମାନ୍ତ ନିକଟରେ ଉଦ୍ଗୀରଣ ହୋଇଛି। ‘କୁମ୍ବ୍ରେ ଭିଏଜ୍ ଆଗ୍ନେୟଗିରି ହିଡ଼ ଅଞ୍ଚଳରେ ଉଦ୍ଗୀରଣ ହେବା ପରେ ଶୀର୍ଷରେ କଳା ଓ ଧଳା ଧୂଆଁ ଥାଇ ପ୍ରକାଣ୍ଡ ଲାଲ୍ ସ୍ତମ୍ଭାକୃତି ଧୂମ୍ରକୁଣ୍ଡଳ ଶୂନ୍ୟକୁ ଉଠିଥିଲା। ବାସଗୃହ ଆଡ଼କୁ ଆଗ୍ନେୟଗିରି ଉଦ୍ଗୀରଣଜନିତ ଗଳିତଧାତୁ (ଲାଭା) ସ୍ରୋତ ମାଡ଼ି ଯିବାର ଆଶଙ୍କା କରି କର୍ତ୍ତୃପକ୍ଷମାନେ ତୁରନ୍ତ ୧୦୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଥିଲେ।
ସପ୍ତାହେ ଧରି ସଂଘଠିତ ହୋଇଥିବା ଛୋଟ ଛୋଟ ଭୂମିକମ୍ପ ଏବଂ ଭୂପୃଷ୍ଠ ତଳେ ଜମା ହେଉଥିବା ଗଳିତଧାତୁ ଉପରେ ବୈଜ୍ଞାନିକମାନେ ଦୃଷ୍ଟି ରଖିଥିଲେ। ୮୫୦୦୦ ଜନତା ବାସ କରୁଥିବା ଲା ପ୍ଲାମା ଦ୍ବୀପରେ ଆଗ୍ନୟଗିରି ଉଦ୍ଗୀରଣ ହେବା ପୂର୍ବରୁ କ୍ୟାବେଜା ଡି ଭାକା ରୂପେ ପରିଚିତ ଅଞ୍ଚଳରେ ୪.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିଲା। ସୂଚନା ଯେ, ପୂର୍ବରୁ ୧୯୭୧ ମସିହାରେ ମଧ୍ୟ ସେଠାରେ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା।
Powered by Froala Editor