ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ ମଞ୍ଜୁ ମୋଦି
ଭୁବନେଶ୍ୱର : ବିଶିଷ୍ଟ ଲେଖିକା ମଞ୍ଜୁ ମୋଦି ୨୦୨୦ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ । ଓଡ଼ିଆରେ ଅନୁଦିତ ପୁସ୍ତକ ‘କଲ୍ୟାଣୀ’ ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି । ବିଶିଷ୍ଟ ହିନ୍ଦୀ ଲେଖକ ଜୈନେନ୍ଦ୍ର କୁମାରଙ୍କ ଆତ୍ମଜୀବନୀ ‘କଲ୍ୟାଣୀ’ର ଏହା ଓଡ଼ିଆ ଅନୁବାଦ । ଶନିବାର ଦିନ ନୂଆଦିଲ୍ଲୀରେ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକାରୀ କମିଟି ବୈଠକରେ ୨୦୨୦ ପାଇଁ ‘କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ଓଡ଼ିଆ ସମେତ ୨୪ଟି ଭାଷାର ଅନୁବାଦ ସାହିତ୍ୟ ପାଇଁ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ପୁରସ୍କାର ଚୟନ କମିଟିର ବିଚାରକ ଭାବେ ଡ. ଶଙ୍କରଲାଲ ପୁରୋହିତ, ଡ. ଭି.ଏସ ଯୋଗଲେକର ଓ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ଥିଲେ । ଅକାଦେମି ପୁରସ୍କାର ନେଇ ଲେଖିକା ମଞ୍ଜୁ ମୋଦି ଖୁସିବ୍ୟକ୍ତ କରିବା ସହ କହିଛନ୍ତି ଯେ ଅନୁବାଦ ସାହିତ୍ୟ ହେଉଛି ଦୁଇଟି ଭାଷା ଭିତରେ ଏକ ସେତୁ ବା ବନ୍ଧନ । ଯିଏ ଦୁଇଟି ଭାଷାରେ ପାରଙ୍ଗମ, ସେ ହିଁ ଏହି ଅନୁବାଦ ପୁସ୍ତକ ରଚନା କରିପାରିବ । ଅନୁବାଦର ଏକ ଭିନ୍ନ ସ୍ୱାଦ ଥାଏ । ଏହାଦ୍ୱାରା ସାହିତ୍ୟ ପରିବ୍ୟାପ୍ତ ହୁଏ ବୋଲି ସେ କହିଛନ୍ତି ।
Powered by Froala Editor