ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି, କାଲି ନେବେ ଶପଥ
କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଏହାର ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାୱତ। ଚଣ୍ଡିଗଡ଼ରେ ହୋଇଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଚନ୍ନିଙ୍କ ନାଁ ଉପରେ ମୋହର ଲଗାଯାଇଛି। କାଲି ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଦଳିତ ନେତା ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଏହା ପୂର୍ବରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ସୁପାରିସ୍ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏହାର କେଇ ଘଣ୍ଟା ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ସମସ୍ତଙ୍କୁ ଚକିତ କରିଦେଇଛି। କିଛି ସମୟ ତଳେ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଳ ସୂଚନା ଦେଇଥିଲେ ଯେ ପର୍ଯ୍ୟବେକ୍ଷକଙ୍କ ବିଧାୟକଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ତାଙ୍କୁ ଅଭିନନ୍ଦନ ଜଣାଇ ରାହୁଲ୍ ଗାନ୍ଧୀ ଟୁଇଟ୍ କରିଛନ୍ତି, ନୂତନ ଦାୟିତ୍ବ ନିମନ୍ତେ ଶ୍ରୀ ଚରଣଜୀତ୍ ସିଂହ ଚନ୍ନି ଜୀଙ୍କୁ ଅଭିନନ୍ଦନ। ଆମେ ପଞ୍ଜାବବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନିଶ୍ଚୟ ଜାରି ରଖିବା। ସେମାନଙ୍କର ବିଶ୍ବାସ ହେଉଛି ଆମର ଚରମ ଗୁରୁତ୍ବ।
ଦଳିତ ସମ୍ପ୍ରଦାୟରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ୫୮ ବର୍ଷିୟ ଚରଣଜୀତ୍ ସିଂହ ଚନ୍ନି ଚମକୌର୍ ସାହିବ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ରେକର୍ଡରେ କୌଣସି କଳୁଷ ନ ଥିବା ଚନ୍ନି ମଧ୍ୟ ୨୦୧୫-୧୬ରେ ପଞ୍ଜାବ ବିଧାନସଭାରେ ବିରୋଧୀଦଳର ନେତା ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍ରେ ସେ ଥିଲେ ବୈଷୟିକ ଶିକ୍ଷା ଏବଂ ଉଦ୍ୟୋଗ ତାଲିମ ମନ୍ତ୍ରୀ। ୨୦୦୭ରେ ଚନ୍ନି ପ୍ରଥମେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ଖରାରରେ ସେ ଦୁଇ ପାଳି ପୌରପାଳିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଥିଲେ।
ସୂଚନାଯୋଗ୍ୟ, ଶନିବାର କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦଳୀୟ ଅସନ୍ତୋଷ କାରଣରୁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
Powered by Froala Editor