ବିଲରେ ଦଳିଦେଲା ଦନ୍ତା

ଢେଙ୍କାନାଳ: ଜମିକୁ ଫସଲ ଦେଖିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିଲେନି । ଆସିଲା ମୃତ ଶରୀର । ବିଲ ମଝିରେ ଦଳିଦେଲା ଦନ୍ତା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ୍ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ । ମୃତକ ହେଲେ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ପାଇକସାହିର ଉପେନ୍ଦ୍ର ଅମାତ ।
ଆଜି ଭୋରୁ କୁମ୍ଭାରପଶିସ୍ଥିତ ନିଜ ଚାଷ ଜମିକୁ ଯାଇଥିଲେ ଉପେନ୍ଦ୍ର । ଏହି ସମୟରେ ଏକ ଦନ୍ତା ସହିତ ମୁହାଁମୁହିଁ ହୋଇ ଯାଇଥିଲା । ହାତୀଟି ବିଲ ମଝିରେ ଦଳି ଦେଇଥିଲା । ଘଟଣାସ୍ଥଳରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । କିଛି ସମୟ ପରେ ସେହି ବାଟ ଦେଇ ଅନ୍ୟ ଚାଷୀମାନେ ଯିବାବେଳେ ଉପେନ୍ଦ୍ରଙ୍କ କ୍ଷତବିକ୍ଷତ ଶରୀର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ବନ ବିଭାଗକୁ ଜଣାଇଥିଲେ । ବନ ବିଭାଗ ଅଧିକାରୀମାନେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ବନ ବିଭାଗ ତୁରନ୍ତ ଏନେଇ ଦୃଷ୍ଟି ଦେବାକୁ ଦାବି କରାଯାଇଛି । ଏଥିସହିତ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ କହିଛନ୍ତି ।
Powered by Froala Editor