ଜଳେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ, ୪ ଗିରଫ

ବାଲେଶ୍ୱର: ଯେତେ ଖୋଲିଲେ ସେତେ ବାହାରିଛି । ପ୍ରତିଦିନ ଜବତ ହେଉଛି ମେଞ୍ଚା ମେଞ୍ଚା ବ୍ରାଉନସୁଗର । ପୁଲିସ୍ ଡାଳେ ଡାଳେ ଗଲେ ମାଫିଆମାନେ ପତ୍ରେ ପତ୍ରେ ଯାଉଛନ୍ତି । ବିଭିନ୍ନ ଉପାୟ ଅବଲମ୍ବନ କରି କାରବାର ଚଳାଉଛନ୍ତି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଇତିମଧ୍ୟରେ ଆଜି ପୁଣି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଏହି ଘଟଣାରେ ପୁଲିସ୍ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ।
ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଝାଡେଶ୍ୱରପୁର ଅଞ୍ଚଳର ସେକ୍ ନୁରହୁସେନ ଘରେ ପୁଲିସ୍ ଚଢ଼ଉ କରିଥିଲା । ଯାଞ୍ଚ ବେଳେ ଘରୁ ୧୫୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ କରାଯାଇଛି । ବେଆଇନ ନିଶା କାରବାର ଅଭିଯୋଗରେ ପୁଲିସ୍ ସେକ ନୁରହୁସେନ, ତାଙ୍କ ପତ୍ନୀଙ୍କ ସହିତ ୨ପୁଅ ସେକ୍ ଭିକାରୀ ଓ ସେକ ରାଜାଙ୍କୁ ଗିରଫ କରିଛି । ଏହି କାରବାର ପଛରେ ଆଉ କିଛି ଜଣଙ୍କ ସମ୍ପୃକ୍ତ ଥିବା ପୁଲିସ୍ ଅନୁମାନ କରୁଛି । ସେମାନଙ୍କ ଘରେ ଚଢ଼ଉ କରିବାକୁ ଯୋଜନା ରହିଥିବା ପୁଲିସ୍ କହିଛି ।
Powered by Froala Editor