ମୂର୍ତ୍ତି ଉଚ୍ଚତା ନେଇ ଆଜି ଆସିବ ରାୟ
କଟକ : ପାଖେଇ ଆସୁଛି ଜଗଜନନୀ ମା’ଦୁର୍ଗାଙ୍କ ପୂଜା । ମଣ୍ଡପରେ ବିରାଜିତ ହେବେ ଦୁର୍ଗତି ନାଶିନୀ । କିନ୍ତୁ ଏପଟେ ଥମୁନି ମୂର୍ତ୍ତି ଉଚ୍ଚତା ମାମଲା । କରୋନା କଟକଣା ଯୋଗୁଁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ମୂର୍ତ୍ତି ଉଚ୍ଚତା ୪ଫୁଟରୁ ଅଧିକ ହୋଇପାରିବ ନାହିଁ । ଏଥିପାଇଁ କଟକ ବାଲୁବଜାର ପୂଜା କମିଟ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ତେବେ ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲାରେ ଆଜି ଆସିବ ରାୟ । ହାଇକୋର୍ଟ ଗତକାଲି ମାମଲାର ଶୁଣାଣି ଶେଷ କରିଛନ୍ତି । ଦୂର୍ଗା ପୂଜାକୁ ଆଉ କେଇଟା ଦିନ ବାକି ଥିବାବେଳେ ମୂର୍ତ୍ତି ଉଚ୍ଚତା ନେଇ ଏପର୍ଯ୍ୟନ୍ତ ମାମଲାର ସମାଧାନ ହୋଇପାରିନି । ଗୋଟିଏ ପଟେ କଟକିଆଙ୍କ ସ୍ୱାଭିମାନ ଆଉ ଶହ ଶହ ବର୍ଷର ପୁରୁଣା ପରମ୍ପରା ଓ ଅନ୍ୟପଟେ ରାଜ୍ୟ ସରକାରଙ୍କ ଜିଦ୍ । ଏହାରି ଭିତରେ ଆଜି ହାଇକୋର୍ଟ କଣ ରାୟ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ଅନ୍ୟପଟେ ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି କହିଛନ୍ତିଯେ, ମୂର୍ତିର ଉଚ୍ଚତା ବଢ଼ିଲେ ମଣ୍ଡପରେ ଲୋକଙ୍କ ଭିଡ ବଢିବ । କାରଣ ମେଢ ସହ ସାଜସଜ୍ଜା ଲୋକଙ୍କୁ ଆକର୍ଷିତ କରିବ । ଲୋକଙ୍କ ମାନସିକତା ଦେଖି ଏହା ଆକଳନ କରାଯାଉଛି । ମୂର୍ତ୍ତି ସହିତ ସଂକ୍ରମଣର ପରୋକ୍ଷ ସମ୍ପର୍କ ଥିବା କହିଛନ୍ତି ଡିଏମଇଟି ପ୍ରଫେସର ଡାକ୍ତର ସି ବି କେ ମହାନ୍ତି । ସମ୍ପ୍ରତି କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ବାଦବିବାଦ ଚାଲିଥିବା ବେଳେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଫେସର ମହାନ୍ତି । ସେ କହିଛନ୍ତି, କେରଳର ଓନମ ଓ ମହାରାଷ୍ଟ୍ରର ଗଣେଶ ପୂଜାରୁ ଲୋକେ ଶିକ୍ଷାଲାଭ କରିବା କଥା । କେରଳରେ ଓନମ ପାଇଁ କଟକଣା ନରହିବାରୁ ସେ ରାଜ୍ୟରେ ଆଜି କୋଭିଡ ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ରରେ ଗଣେଶ ପୂଜା ପାଇଁ ଗତ ଜୁନ୍ ମାସରେ ସେଠାକାର ପୂଜା କମିଟି ଗୁଡିକ ସରକାରଙ୍କ ସହିତ ଏକମତ ହେବାରୁ କଟକଣା ଭିତରେ ପୂଜା କରାଗଲା । ଗଣେଶ ପୂଜା ପରେ ସେଠାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିଛି । ତେଣୁ ଲୋକଙ୍କ ପାଇଁ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ।
Powered by Froala Editor