ମାଓ ନେତା ଦୁବାସି ଶଙ୍କର ଗିରଫ, ମୁଣ୍ଡ ଉପରେ ଥିଲା ୨୦ ଲକ୍ଷର ପୁରସ୍କାର
ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ କରିଛି ପୁଲିସ । ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତାକୁ ରିମାଣ୍ଡରେ ଅଣାଯିବ ବୋଲି ଡିଜି ଅଭୟ କହିଛନ୍ତି ।
ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ ମିଲିଟାରୀ କମିଶନ ସଦସ୍ୟ ଥିଲା ଦୁବାସୀ ଶଙ୍କର ଓରଫ୍ ମହେଶ, ରମେଶ ଓ ଅରୁଣ। ୨୦ ବର୍ଷ ଭିତରେ ଧରାପଡ଼ିଥିବା ସବୁଠୁ ବଡ଼ ନକ୍ସଲ ନେତା ହେଉଛି ଶଙ୍କର। ଶଙ୍କରଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା। ଗତକାଲି ସେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅଞ୍ଚଳରେ ନିଜର ସାଥୀମାନଙ୍କ ସହ ଚକ୍ରବ୍ୟୂର ରଚୁଥିଲା। ଏ ସମ୍ପର୍କରେ ଖବର ପାଇ କୋରାପୁଟ ଡିଭିଏଫ୍, ଏସ୍ଓଜି, ବିଏସ୍ଏଫ୍ ଜାଣିପାରି ଅପରେସନ କରି ତାକୁ ଗିରଫ କରିବାରେ ସଫଳ ହୋଇଛି।
୧୯୮୭ରେ ମାଓ ସଂଗଠନରେ ଯୋଗ ଦେଇଥିବା ଶଙ୍କର ନାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅନେକ ମାମଲା ରହିଛି । ବିଶାଖାପାଟଣା, କୋରାପୁଟ, ମାଲକାନଗିରିରେ ହୋଇଥିବା ମାଓ ଆକ୍ରମଣରେ ଏହାର ହାତ ରହିଥିବା କୁହାଯାଉଛି । ବିଶେଷକରି ୨୦୦୯ରେ ଦାମନଯୋଡ଼ିରେ ହୋଇଥିବା ମାଓ ଆକ୍ରମଣ ଯେଉଁଥିରେ ୧୦ ସିଆଇଏସଏଫ ଯବାନ ସହିଦ ହୋଇଥିଲେ, ସେଥିରେ ସେ ସଂପୃକ୍ତ ଥିଲା । ଏହାଛଡ଼ା ୨୦୧୦ରେ ହୋଇଥିବା ଗୋବିନ୍ଦପାଲି ବିସ୍ଫୋରଣରେ ମଧ୍ୟ ସେ ସଂପୃକ୍ତ ଥିଲା । ଏହି ଘଟଣାରେ ୧୧ ପୁଲିସ କର୍ମୀ ସହିଦ ହୋଇଥିଲେ ।
Powered by Froala Editor