ଆଉ ରାସ୍ତା ଉପରେ ଗଦା କରିପାରିବେନି ନିର୍ମାଣ ଆବର୍ଜନା

ଭୁବନେଶ୍ୱର: ଯିଏ ଘର ତିଆରି କଲା ରାସ୍ତା ଉପରେ ବାଲିଗୋଡ଼ି ଜମା କଲା । ପୁରୁଣା ଘରୁ ଭାଙ୍ଗି ଯେଉଁ ଆବର୍ଜନା ବାହାର କଲା ତାକୁ ବି ରାସ୍ତା ଉପରେ ଗଦେଇଲା । ଏ ସବୁ ଗଦା କରୁଥିବା ଲୋକକୁ ନୋଟିସ କରିବା ସହ ଜରିମାନା ଆଦାୟ କରିବାକୁ ବ୍ୟବସ୍ଥା ଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ରହିଥିଲା । ହେଲେ କରୋନାକୁ ଆଳ କରି କାର୍ଯ୍ୟାନୁଷ୍ଠାନ ନାମକୁ ମାତ୍ର ହେଉଥିଲା । ଏବେ ବିଏମସି ଚେତିଛି । ଏହି ଏନଫୋର୍ସମେଣ୍ଟକୁ କଡ଼ା କଡ଼ି କରାଯାଇଛି । ତିନିଟି ଜୋନରେ ସଚେତନତା ସୃଷ୍ଟି କରାଯିବା ସହ ଜରିମାନା ଆଦାୟ କରାଯାଇଛି । ଗୋଟିଏ ଦିନରେ ୧୩ ଜଣଙ୍କୁ ନୋଟିସ ହେବା ସହ ୬୬ ହଜାର ଟଙ୍କା ଆଦାୟ ହୋଇଛି । ତେବେ ଆଜି ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତିନିଟି ଜୋନରେ ସ୍ୱଚ୍ଛ ସାଥୀ, ୱାର୍ଡ ଅଫିସର ଓ ପରିମଳ ନିରୀକ୍ଷକଙ୍କ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି । ନିର୍ମାଣ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗି ବିଏମସିକୁ ସୂଚନା ଦେବାକୁ କୁହାଯାଇଛି । ପ୍ରଥମ ଦିନରେ ତିନିଟି ଜୋନରେ ୧୨ଟି ୱାର୍ଡରେ ସଚେତନତା ସହ ଜୋରିମାନା ଓ ନୋଟିସ କରାଯାଇଛି । ଏନଫୋର୍ସମେଣ୍ଟ ପାଇଁ ଜେସିବି, ହାଇୱା, ଟିପ୍ପର ଓ ଟ୍ରାକ୍ଟର ପ୍ରଭୃତି ୨୯ଟି ଗାଡ଼ି ବ୍ୟବହାର କରାଯାଇଛି । ଏକ ସ୍ୱତନ୍ତ୍ର ଗାଡ଼ି ସହାୟତାରେ ପବ୍ଲିକ ଆଡ୍ରେସ ସିଷ୍ଟମ ଜରିଆରେ ସଚେତନତା ସୃଷ୍ଟି କରାଯାଇଛି । ରାସ୍ତା କଡ଼ରେ ଗଦା ହୋଇଥିବା ୪୧ ଟ୍ରିପ ନିର୍ମାଣ ଆବର୍ଜନା ସଫା କରାଯାଇଛି । ଆଗକୁ ଏହି ଏନଫୋର୍ସମେଣ୍ଟ ଜୋରଦାର ଚାଲିବ ବୋଲି ବିଏମସି ପକ୍ଷରୁ ଚେତାଇ ଦିଆଯାଇଛି ।
Powered by Froala Editor