ଭୁଲିଗଲେ ମଣିଷ ପଣିଆ: ୫ ଟଙ୍କା ପାଇଁ ଅମାନୁଷିକ ମାଡ଼
ମାତ୍ର୍ର ୫ ଟଙ୍କା ପାଇଁ ମାନବିକତା ଭୁଲିଗଲେ ବାପ, ପୁଅ । ଜଣେ ଗ୍ରାହକଙ୍କୁ ରାସ୍ତାରେ ଅମାନୁଷିକ ଭାବେ ପିଟି ଚାଲିଥିଲେ । ବାଟରେ ଯାଉଥିବା ଲୋକେ ବି କଣେଇ ଚାହୁଁଥିଲେ । କିନ୍ତୁ କେହି କିଛି ବାରଣ କରୁନଥିଲେ । ମାଡ ଖାଉଥିବା ବ୍ୟକ୍ତି ଜଣକ ଗୋଡ ହାତ ଧରି ଯେତେ ନେହୁରା ହେଲେ ବି ବାପ, ପୁଅ ନୃଶଂସତାର ସୀମା ଟପିଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ।
ସୂଚନା ମୁତାବକ, ଘଷିପୁରା ଲକ୍ଷ୍ମୀ ବଜାରରେ ଥିବା ମା' ହୋଟେଲକୁ ଜିତେନ୍ଦ୍ର ଦେହୁରୀ ନାମକ ଜଣେ ବ୍ୟକ୍ତି ଖାଇବାକୁ ଯାଇଥିଲେ । ସେଠାରେ ସେ ଭାତ, ଡ଼ାଲି, ତରକାରୀ ଓ ଖଟା ଖାଇଥିଲେ । ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ । ଜିତେନ୍ଦ୍ରଙ୍କ ପାଖରେ ଥିବା ୪୦ ଟଙ୍କା ହୋଟେଲ ମାଲିକଙ୍କୁ ଦେଇଥିଲେ । ବାକି ୫ ଟଙ୍କା ସଂଧ୍ୟାରେ ଦେବାକୁ କହିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ହୋଟେଲ ମାଲିକ ରାଗିଯାଇ ବିଚ୍ ରାସ୍ତାରେ ତାଙ୍କୁ ନିର୍ଧୁମ୍ ପିଟିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି । ଏନେଇ ଜିତେନ୍ଦ୍ର ଘଷିପୁର ଥାନାରେ ଅଭିଯୋଗ କରିଛନ୍ତି ।
ସାମାନ୍ୟ ୫ ଟଙ୍କା ପାଇଁ ଜଣେ ଗ୍ରାହକକୁ ଏମିତି ନିଷ୍ଠୁର, ବର୍ବର ଆଉ ଅକଥନୀୟ ଭାବେ ଆକ୍ରମଣ କରିବା କେତେ ଯୁକ୍ତିଯୁକ୍ତ? ଏପରିକି ରାସ୍ତାରେ ମାଡ ଖାଉଥିବା ବ୍ୟକ୍ତିଙ୍କୁ କେହି ରୋକିଲେନି । ଏ କି ପ୍ରକାର ମାନବିକତା? ୫ ଟଙ୍କା ପାଇଁ ଯଦି ଏଭଳି ବ୍ୟବହାର । ତେବେ ମଣିଷ ପଣିଆ ହଜିଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ ।
Powered by Froala Editor