ଲାଇଟ ଆଣ୍ଡ ସାଉଣ୍ଡରେ ଝଲସିଲା ସମଲେଶ୍ୱରୀ ପୀଠ
ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା' ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ'କୁ ଉଦଘାଟନ କରିଛନ୍ତି । ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ'କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଅନୁଭବ କରିହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ 'ନୂଆଁଖାଇ ଜୁହାର' ଜଣାଇବା ସହ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ' ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି। ସମ୍ବଲପୁରୀ ଭାଷାରେ ମିଠାସ୍ ରହିଛି । ସମ୍ବଲପୁରୀ ଭାଷାରେ ଆମର ବନ୍ଧୁମାନେ
ଯେତେବେଳେ କଥା ହୁଅନ୍ତି ତାହା ତାଙ୍କୁ ବହୁତ ଭଲ ଲାଗେ। ସମ୍ବଲପୁରୀ ଗୀତ ସାରା ଦେଶରେ ପ୍ରସିଦ୍ଧ। ସମ୍ବଲପୁରୀ ନୃତ୍ୟ ଓ ଗୀତ ଅତି ମନଛୁଆଁ। ସମ୍ବଲପୁରୀ ଶାଢ଼ୀ କେବଳ ଓଡ଼ିଶାରେ ନୁହେଁ ସାରା ଭାରତର ଗୌରବ ବୃଦ୍ଧି କରିଛି । ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ଯୋଜନା କରାଯାଇଛି। ସମଲେଶ୍ୱରୀ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ଏହି ରୂପାନ୍ତରଣରେ ସବୁଠୁ ଅଧିକ ଉପକାର ସ୍ଥାନୀୟ ଲୋକମାନେ ପାଇବେ। ଆମ ସଂସ୍କୃତି, ପରମ୍ପରାକୁ ବିଶ୍ୱମୁଖୀ କରି ଅର୍ଥନୀତିକୁ ସମୃଦ୍ଧ କରିବା ହେଉଛି ଏହି ରୂପାନ୍ତରଣର ଲକ୍ଷ୍ୟ। ମା' ସମଲେଶ୍ୱରୀ ପୀଠକୁ ଲକ୍ଷଲକ୍ଷ ଭକ୍ତ ଆସୁଛନ୍ତି। ଏହି ରୂପାନ୍ତରଣ ସେମାନଙ୍କୁ ପବିତ୍ର ଅନୁଭବ ଦେବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଏହି ଲାଇଟ ଓ ସାଉଣ୍ଡ ଶୋ ଆରମ୍ଭ ହୋଇଛି । କୋଭିଡ ପାଇଁ ବର୍ତ୍ତମାନ କିଛିଦିନ ପାଇଁ ଏହା ବନ୍ଦ ରହିବ ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦେଶ ପରେ ଏହା ଚାଲୁ ହେବ। ସେପଟେ ସମ୍ବଲପୁରର ପୂର୍ବତନ ବିଧାୟିକା କହିଛନ୍ତି ଏହା ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଥିଲା। କୋଭିଡ ପାଇଁ ଟିକେ ଏହା ବିଳମ୍ବ ହେଲା। ୨୦୧୮ ମସିହାରୁ ଏହାର ପରିକଳ୍ପନା କରାଯାଇଥିଲା।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ , ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମା' ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବାବୁ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ ।
Powered by Froala Editor