ବିଧାନସଭାରେ ଉଠିଲା ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ପ୍ରସଙ୍ଗ
ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦% ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ଏସ୍ସି-ଏସ୍ଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ଆଗତ କରିଥିଲେ। ବିରୋଧୀଙ୍କ ହୋହଲ୍ଲା ଓ ପାଟିତୁଣ୍ଡ ଭିତରେ ଗୃହରେ ସଂକଳ୍ପ ପାରିତ ହୋଇଥିଲା। ଏହାପରେ ବିଧାନସଭା ପକ୍ଷରୁ ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନ୍ଙ୍କ ନିକଟକୁ ପଠାଯିବ। କମିଶନ୍ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ।
ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ଏବେ ସଂକଳ୍ପ ଆଣି ପୁଣି ଥରେ ଏହି ଦାବିକୁ ଦୋହରାଇଛି l ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ। ତେବେ ଏ ସଂପର୍କିତ ସଂକଳ୍ପ ଉପରେ ଆଲୋଚନା ବେଳେ ବିରୋଧୀ କଂଗ୍ରେସ୍ ଓ ବିଜେପି ଅନୁପସ୍ଥିତ ଥିଲେ।
Powered by Froala Editor