ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା । ତୁରେକେଲା ବ୍ଲକ କାଦୋବେଡ଼ା ଗାଁ ପରେ ଏବେ ଅଭିଯୋଗ ଆସିଛି ପାଟଣାଗଡ଼ ବ୍ଲକ ଭାଲୁଜୁରୀ ଗାଁରୁ । ଏହି ଗାଁର ଯୁବ ଚାଷୀ ଯୁଧିଷ୍ଠିର ଭୋଇ (୪୦ବର୍ଷ) ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଚାଷରେ କ୍ଷତି ଯୋଗୁଁ ଯୁଧିଷ୍ଠିର ମାନସିକ ଚିନ୍ତାରେ ରହୁଥିଲେ ଓ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଓ ଗ୍ରାମବାସୀ କହିଛନ୍ତି । ଯୁଧିଷ୍ଠିର ୫ ଏକର ଜମି ଭଡ଼ା ସୂତ୍ରରେ ନେଇ ଧାନ ଚାଷ କରିଥିବା ବେଳେ ନିଜ ପୈତୃକ ଜମି ଦେଢ଼ ଏକରରେ କପା ଚାଷ କରିଥିଲେ । ଧାନ ଚାଷ ପଲହା ପକାଇବା ପରେ ବର୍ଷାଭାବରୁ ରୁଆ ବେଉଷଣ ହୋଇନଥିଲା । ଚାଷ ଅଟକିଯାଇଥିବା ବେଳେ ୫ ଏକର ଜମି ଭଡ଼ା କେମିତି ଦେବେ ସେହି ଚିନ୍ତାରେ ରହିଥିଲେ । ଏଥିପାଇଁ ସେ ବିଷ ପିଇଦେଇଥିବା ପରିବାର ଲୋକେ କହିଛନ୍ତି । ଯୁଧିଷ୍ଠିର ଶନିବାର ବିଷ ପିଇଦେଇଥିଲେ । ଘରକୁ ଆସି ସେ ଏ ସଂପର୍କରେ କହିଥିଲେ । ତୁରନ୍ତ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ, ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପାଟଣାଗଡ଼ରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚାଷୀ ଯୁଧିଷ୍ଠିରଙ୍କ ମୃତୁ୍ୟ ଘଟିଥିଲା । ଘଟଣା ସଂପର୍କରେ ପଚରାଯିବାରୁ ଚାଷବାସ ତ ଗଲା ଆଉ କଣ ପାଇଁ ମୁଁ ବଂଚିବି ବୋଲି ଯୁଧିଷ୍ଠିର କହିଥିବା ପରିବାର ଲୋକେ ଗଣମାଧ୍ୟମଠାରେ ପ୍ରକାଶ କରିଛନ୍ତି । ଏପଟେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପରେ ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ଡା. ପୁଷ୍ପାଞ୍ଜଳି ପଣ୍ଡା, ରାଜସ୍ୱ ବିଭାଗର ଅଧିକାରୀ ଓ ପୁଲିସ ବିଭାଗର ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ପହଞ୍ଚି ତଦନ୍ତ କରିଛନ୍ତି । ପରିବାରବର୍ଗଙ୍କ ସହ ମଧ୍ୟ ଆଲୋଚନା କରି ଫେରିଛନ୍ତି ।
Powered by Froala Editor