ବଦଳିବ କଟକର ପାର୍ବଣ କଟକଣା ନିଷ୍ପତ୍ତି !
ଭୁବନେଶ୍ବର : କଟକରେ ଦୁର୍ଗାପୂଜା ମୂର୍ତ୍ତି ବିବାଦ ଏବେ ଏକ ଭିନ୍ନ ଦିଗକୁ ମୁହାଁଇଛି । କଟକର ବିଭିନ୍ନ ସାମାଜିକ ସଙ୍ଗଠନ ଓ ପୂଜା କମିଟି କର୍ମକର୍ତ୍ତା ଏକାଠି ହୋଇ ୭ ଦିନ ଧରି ବର୍ଷ ଖରାକୁ ଖାତିର ନକରି ଦୁର୍ଗା ମା’ଙ୍କ ମୂର୍ତ୍ତିର ଆକୃତିକୁ ପୂର୍ବଭଳି ଅପରିବର୍ତ୍ତିତ ରଖିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ୍ ବିଧାୟକ ଇଂ.ମହମ୍ମଦ ମୋକିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରୀ ନିଷ୍ପତ୍ତି ପରିବର୍ତ୍ତନ ନହେଲେ ଆସନ୍ତା ୧୩ରେ କଟକ ବନ୍ଦ ଡ଼ାକରା ଦେଇଛି ବିଜେପି। କରୋନା କଟକଣା କୋହଳ ହୋଇଥିବାବେଳେ କଟକିଆଙ୍କ ଭାବାବେଗ ସହ ଏହି ପ୍ରସଙ୍ଗ ଜଡ଼ିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ମଧ୍ୟ ସମସ୍ୟା ସମ୍ବନ୍ଧରେ ସରକାରୀ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ପ୍ରାକ୍ତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫି ଆୟୁକ୍ତ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ସୋମବାର କଟକର ୪୦ ସାମାଜିକ ସଙ୍ଗଠନ ପକ୍ଷରୁ ବକ୍ସିବଜାରଠାରେ ଚାଲିଥିବା ଆନ୍ଦୋଳନ ସ୍ଥଳରେ ବିଧାୟକ ସୌଭିକ ବିଶ୍ବାଳ ପହଞ୍ଚି ଆଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରେକାଷ୍ଠରେ ବିଧାୟକ ଶ୍ରୀ ବିଶ୍ବାଳ ସୋମବାର ଲିଖିତ ଭାବେ ଜଣାଇବା ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହି ପ୍ରସଙ୍ଗରେ ମଧ୍ୟ ପ୍ରଶାସନିକ ଓ ଦଳୀୟ ସ୍ତରରେ ଶୀର୍ଷ ନେତୃଙ୍କୁ ଫେରାଦ ହୋଇଥିବା ଜଣାପଡ଼ିଛି।
ଶାସକ ଦଳର କୌଣସି ନେତା ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନଥିଲେ ମଧ୍ୟ ଦଳୀୟ ସ୍ତରରେ ଏନେଇ ମାନସ ମନ୍ଥନ ଚାଲିଛି। ପ୍ରଶାସନିକ ସ୍ତରରେ ଏନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା କରାଯାଉଛି। ସାମାଜିକ ସଙ୍ଗଠନ କଟକର ମୂର୍ତ୍ତିର ଉଚ୍ଚତା ଅପରିବର୍ତ୍ତିତ ରଖିବା ସହ ମଣ୍ଡପରୁ ପରଦା ହଟାଇବାକୁ ଦାବି କରିଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ ଶାସକ ଦଳ ଏହାକୁ ଗମ୍ଭୀରତାର ସହ ନେଇଛି। ବିଜେପି ଓ କଂଗ୍ରେସ୍ ଏହି ଜନ ଆନ୍ଦୋଳନରେ ସାମିଲ ହେଉଥିବାବେଳେ ବିଳମ୍ବରେ ଶାସକ ଦଳ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହୋଇଛି।
୧୩ରେ ବିଜେପି ବନ୍ଦ ଡ଼ାକରା ଦେଇଥିବାବେଳେ ତା ପୂର୍ବରୁ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ପ୍ରଶାସନିକ ସ୍ତରରେ ଆପାତତଃ ସ୍ଥିର ହୋଇଛି। ତେବେ ଏନେଇ କୌଣସି ଘୋଷଣା ହୋଇ ନଥିବାବେଳେ କେହି ମୁହଁ ଖୋଲୁନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ଏହି ପ୍ରସଙ୍ଗରେ ବିଜେଡିର ଶୀର୍ଷ ନେତୃକୁ ନେଇ ଏକାଧିକ ବୈଠକ ହୋଇଛି। ଏ ବାବଦରେ ପ୍ରଶାସକଙ୍କୁ ମଧ୍ୟ ଜଣାଯାଇଛି। ଚଳିତ ସପ୍ତାହରେ କଟକଣା କୋହଳ ସମ୍ବନ୍ଧରେ ଘୋଷଣା ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।
Powered by Froala Editor