ମକା ବୋଝେଇ ପିକଅପରୁ ବାହାରିଲା ୫ କୁଇଣ୍ଟାଲ ଗଞ୍ଜେଇ
ମକା ବୋଝେଇ ପିକଅପରୁ ପ୍ରାୟ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଗାଡ଼ିର ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଗାଡ଼ିଟି ଭବାନୀପାଟଣା ଅଞ୍ଚଳରୁ କେସିଙ୍ଗା ସହର ଦେଇ ସମ୍ବଲପୁର ଅଞ୍ଚଳକୁ ଯାଉଥିଲା ବୋଲି ତଦନ୍ତରୁ ଜଣାପଡିଛି । ମାଜିଷ୍ଟ୍ରେଟ ଭାବେ କେସିଙ୍ଗା ଅତିରିକ୍ତ ତହସିଲଦାର ରୁଦ୍ର ପ୍ରସାଦ ନାଏକଙ୍କ ଉପସ୍ଥିତିରେ ପୋଲିସ ଗାଡି ଭିତରୁ ମକା ବସ୍ତା ସହ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ଜବତ କରିଛି । ବସ୍ତା ଭିତରେ ୧୧୯ ଗୋଟି ପ୍ୟାକେଟ ଗଞ୍ଜେଇ ରହିଥିବା ବେଳେ ଗୋଟିଏ ପ୍ୟାକେଟ ର ଓଜନ ପ୍ରାୟ ୪/୫ କେଜି ରହିଥିବା ନେଇ ଅନୁମାନ କରାଯାଉଛି ।
ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ । ତେବେ ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆଇଆଇସି ଦୀପାଞ୍ଜଳୀ ପ୍ରଧାନଙ୍କ ନେତୃତ୍ବରେ କେସିଙ୍ଗା ପୋଲିସ ଆଜି ମକା ବୋଝେଇ ବୋଲେରୋ ପିକଅପ ଗାଡ଼ିକୁ ରେଳ ଭୂତଳ ପୋଲ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିରେ ମକା ବସ୍ତା ଲୋଡ୍ ହୋଇଥିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ବସ୍ତା ମଧ୍ୟ ଦେଖିବାକୁ ପାଇଥିଲା ।
Powered by Froala Editor