ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାରରେ ଲାଗିଲା ECଙ୍କ କଟକଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ବଡ଼ ପଦକ୍ଷେପ ନେଇଛନ୍ତି। ରାଜନୀତିକ ଦଳଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ ବୋଲି କମିଶନ କହିଛନ୍ତି। କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଉଥିବାରୁ ଚାରିଆଡ଼େ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏସବୁ ଭିତରେ ଆସନ୍ତାକାଲି ରାଜ୍ୟରେ ୫ମ ପର୍ଯ୍ୟାୟ ଭୋଟିଂ ହେବ। ୪ର୍ଥ ପର୍ଯ୍ୟାୟ ହିଂସା ଦୃଷ୍ଟିରୁ ୫ମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସମୟକୁ ଗୋଟିଏ ଦିନ ହ୍ରାସ କରା ଯାଇଥିଲା। ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ୫ମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଥିଲା। ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରିଥିବା ବେଳେ ଷଷ୍ଠ ପର୍ଯ୍ୟାୟ ପ୍ରଚାର ଠାରୁ ଏହି କଟକଣା ଲାଗିବ । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି କଟକଣା ଲଗାଯାଇଛି । ରାଲି ଆୟୋଜକଙ୍କୁ ମଧ୍ୟ ନିର୍ବାଚନ ଆୟୋଗ ବିଭିନ୍ନ ପରାମର୍ଶ ଦେଇଛନ୍ତି । ରାଲିରେ ଯୋଗ ଦେଉଥିବା ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଆୟୋଜକ ଗୁରୁତ୍ବ ଦେବେ ।