ଆଜି ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଶେଶ୍ଵର ଟୁଡୁ
ଭୁବନେଶ୍ବର:ଆଜି ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।ସମ୍ପ୍ରସାରିତ କେନ୍ଦ୍ର କ୍ୟାବିନେଟରେ ନୂଆକରି ଦାୟିତ୍ବ ସମ୍ଭାଳିଥିବା ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥତା କାରଣରୁ ଜନ ଆର୍ଶୀବାଦ ଯାତ୍ରାରେ ଓଡିଶା ଆସିପାରିନଥିଲେ । ତେବେ ସୁସ୍ଥ ହେବା ପରେ ଆଜି ସେ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ପହଞ୍ଚିବା ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ସିଧାସଳଖ ପୁରୀ ଗସ୍ତ କରିବେ । ସେଠାରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି । ଏହା ପରେ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଯୋଗ ଦେବେ ଟୁଡୁ ।ସେହିପରି ଟୁଡୁ ୭ ତାରିଖ ଭୁବନେଶ୍ବରରୁ ବାହାରି ବାଲେଶ୍ଵର ଦେଇ ବାରିପଦା ଗସ୍ତ କରି ସେଠାରେ ରାତ୍ରୀଯାପନ କରିବେ । ଆସନ୍ତା ୮ , ୯ , ୧୦ ଓ ୧୧ ତରିଖରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଏକାଧିକ ଦଳୀୟ ଏବଂ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେଇ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ।ମନ୍ତ୍ରୀଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଥିବା ବିଶେଶ୍ବର ଟୁଡୁଙ୍କ ସ୍ବାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ଭୁବନେଶ୍ବର, ପୁରୀ , କଟକ, ଭଦ୍ରକ, ବାଲେଶ୍ବର, ବାରିପଦା, ରାଇରଙ୍ଗପୁର ସାଂଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳୀୟ କାର୍ୟ୍ୟକର୍ତ୍ତା ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯିବାର କାର୍ୟ୍ୟକ୍ରମ ରହିଛି ବୋଲି ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।
Powered by Froala Editor