ଏଠାରେ ସାର୍ ମାଡ଼ାମ ଡାକକୁ ନିଷେଧ
ପାଲାକ୍କାଡ଼: କେରଳର ଏକ ପଞ୍ଚାୟତ କାର୍ଯ୍ୟାଳୟରେ ଅଧସ୍ତନ କର୍ମଚାରୀମାନେ ଉପରିସ୍ଥ ହାକିମଙ୍କୁ ସାର୍ ବା ମାଡ଼ାମ ବଦଳରେ ଯଦି ତାଙ୍କର ନାଁ ଧରି ଡାକନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଉତ୍ତର କେରଳରେ ଥିବା ମାଥୁର ଗ୍ରାମ ପଞ୍ଚାୟତରେ ଉପନିବେଶବାଦୀ ଇଂରେଜ ଶାସନ ଅମଳରୁ ଚଳିଆସୁଥିବା ସାର୍ ବା ମାଡ଼ାମ ଡାକକୁ ନିଷେଧ କରାଯାଇଛି । ଲୋକଙ୍କ ଭିତରେ କେହି ବଡ଼ ବା କେହି ସାନ ନୁହନ୍ତି । ଏହି ବୋଧ ଜାଗ୍ରତ କରିବା ଓ ପାରସ୍ପରିକ ପ୍ରେମ-ପ୍ରୀତି ବନ୍ଧନକୁ ସୁଦୃଢ଼ କରିବା ପାଇଁ ପଞ୍ଚାୟତ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଦେଶରେ ପ୍ରଥମ । ୧୬ ସଦସ୍ୟ-ବିଶିଷ୍ଟ ଏହି କଂଗ୍ରେସ-ଶାସିତ ପଞ୍ଚାୟତରେ ୭ ସିପିଆଇ-ଏମ୍ ନମିନି ଓ ଜଣେ ବିଜେପି ସଦସ୍ୟ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଚଳିତ ସପ୍ତାହ ପ୍ରାରମ୍ଭରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି । ପଞ୍ଚାୟତର ଉପାଧ୍ୟକ୍ଷ ପିଆର୍ ପ୍ରସାଦ କହିଛନ୍ତି ଯେ, ସାର୍ ଓ ମାଡାମ୍ ଡାକ ଅଫିସକୁ କାମରେ ଆସୁଥିବା ସାଧାରଣ ଲୋକ ଓ ଅଫିସରଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରିବା ପାଇଁ ଉଦ୍ଧିଷ୍ଟ ଥିଲା । ଉପନିବେଶୀୟ ଶାସନକାଳରୁ ଏହି ସମ୍ମାନଜନକ ସମ୍ବୋଧନ ଚଳିଆସୁଥିଲା, ଯାହା ବନ୍ଦ ହେବା ଆବଶ୍ୟକ ଥିଲା । ପଞ୍ଚାୟତ ପକ୍ଷରୁ ମଧ୍ୟ ଏକ ନାଗରିକଙ୍କ ଅଧିକାରକୁ ସମ୍ମାନ ଦେଇ ଆବେଦନ ପତ୍ର (ଆପ୍ଲିକେସନ ଫର୍ମ) ବଦଳରେ ଅଧିକାର ପତ୍ର ପ୍ରଚଳନ କରାଯାଇଛି ।
Powered by Froala Editor