କୂଅକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡା ନିକଟସ୍ଥ କଇଁଫୁଲିଆ ଗ୍ରାମର ଜଣେ ଯୁବକ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି, କଇଁଫୁଲିଆ ଗ୍ରାମର ମାଟିଆ ଦାଶଙ୍କ ପୁଅ କୈଳାସ ଚନ୍ଦ୍ର ଦାଶ ବୋଲି ଜଣାପଡ଼ିଛି । ପ୍ରକାଶଯେ, କୈଳାସ ନିଜ ପରିବାରର ଭରଣପୋଷଣ ପାଇଁ ଋଣ କରି ବଲେରୋ ଗାଡ଼ି ଖଣ୍ଡିଏ କରିଥିଲେ । ସେହି ଗାଡ଼ିରୁ ଯାହା କିଛି ଭଡ଼ା ହୁଏ, ସେଥିରେ ସେ ଗାଡ଼ିର କିସ୍ତି ପରିଶୋଧ କରିବା ସହିତ ପରିବାର ଚଳାଉଥିଲେ । ଦୁଇବର୍ଷ ହେବ ମହାମାରୀ କରୋନା ଯୋଗୁ ବେପାର ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିବାରୁ ସେ ଗାଡ଼ି କିସ୍ତି ଠିକ ସମୟରେ ପଇଠ କରି ନପାରିବାରୁ ବ୍ୟାଙ୍କ କର୍ମଚାରୀମାନେ ଘରକୁ ଆସୁଥିଲେ । ଯେଉଁଥିପାଇଁ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ । କୈଳାସ ନିଜ ଦେହରେ ପଥର ବାନ୍ଧି ପାଖରେ ଥିବା ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କିଛି ଲୋକଙ୍କଠୁ ଖବର ପାଇ ଶରଣକୁଳ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କୈଳାସଙ୍କ ଶବକୁ ଉଦ୍ଧାର କରିଥିଲେ । ଏନେଇ ଶରଣକୁଳ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ସବଇନ୍ସପେକ୍ଟର ବିରଞ୍ଚି ନାରାୟଣ ଅମାତ ଜଣାଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ମୃତ ଯୁବକଙ୍କର ଏକ ୪ ବର୍ଷର ଝିଅ ଥିବାବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି ।
Powered by Froala Editor