ବଢିଲା ଏଲ୍ପିଜି ସିଲିଣ୍ଡର, କମିଲା ପେଟ୍ରୋଲ ଓ ଡିଜେଲ
ସାଧାରଣ ଲୋକଙ୍କ ଉପରେ ଏଲପିଜି ସିଲିଣ୍ଡର ବୋଝ ପଡିଛି । ଏଣେ ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ଆଶ୍ୱସ୍ତି ମିଳିଛି । ମାସ ଆରମ୍ଭରୁ ଏଭଳି ଦର ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଖାଉଟି । ସରକାରୀ ତୈଳ କମ୍ପାନୀ ପୁଣିଥରେ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ୨୫ ଟଙ୍କା ବଢାଇ ଦେଇଛନ୍ତି। ମାତ୍ର ୧୫ ଦିନରେ ଅଣ-ସବସିଡି ଏଲପିଜି ସିଲିଣ୍ଡର ଗ୍ୟାସ୍ ଦାମରେ ୫୦ ଟଙ୍କା ବଢିଛି। ସେଭଳି ୧୯ କିଲୋଗ୍ରାମ୍ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ରେ ୭୫ ଟଙ୍କାର ବୃଦ୍ଧି ହୋଇଛି। ଏହା ସହିତ ଦିଲ୍ଲୀରେ ୧୪.୨ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର ୮୮୪.୫ ଟଙ୍କା ହୋଇଯାଇଛି। ସେଭଳି ଏହା ପୂର୍ବରୁ ତାହା ୮୫୯.୫୦ ଟଙ୍କା ଥିଲା। ବର୍ତ୍ତମାନ ଦିଲ୍ଲୀରେ ୧୪ କେଜି ଗ୍ୟାସ୍ର ଦାମ ୮୮୪.୫ ଟଙ୍କା ଥିବା ବେଳେ କୋଲକାତାରେ ୯୧୧ ଟଙ୍କା, ମୁମ୍ବାଇରେ ୮୮୪.୫ ଟଙ୍କା ଓ ଚେନ୍ନାଇରେ ୯୦୦ ଟଙ୍କା ରହିଛି।
ଅନ୍ୟପଟେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୧୫ ପଇସା ଲେଖାଏ କମିଛି। ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିକ ତୈଳ ଦର କମୁଥିବାର ଏହାର ପ୍ରଭାବ ଭାରତୀୟ ମାର୍କେଟ ଉପରେ ପଡ଼ୁଛି। ବୁଧବାର ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ ପମ୍ପରେ ପେଟ୍ରୋଲ ଲିଟର୍ ପିଛା ୧୦୧.୩୪ ଟଙ୍କା ବିକ୍ରି ହେଉଛି। ସେହିପରି ଡିଜେଲ୍ ଲିଟର୍ ପିଛା ୮୮.୭୭ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୧୦୭.୩୯ ଟଙ୍କା ଓ ଡିଜେଲ୍ ୯୬.୩୩ ଟଙ୍କାରେ ବିକ୍ରି କରାଯାଉଛି। କୋଲକାତାରେ ପେଟ୍ରୋଲ୍ ୧୦୧.୭୨ ଓ ଡିଜେଲ୍ ୯୧.୮୪ ଟଙ୍କା, ଚେନ୍ନାଇରେ ପେଟ୍ରୋଲ୍ ୯୯.୦୮ ଓ ଡିଜେଲ୍ ୯୩.୩୮ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ୍ ୧୦୪.୮୪ ଟଙ୍କା ଓ ଡିଜେଲ୍ ୯୪.୧୯ ଟଙ୍କା, ହାଇଦ୍ରାବାଦରେ ପେଟ୍ରୋଲ୍ ୧୦୫.୪୦ ଓ ଡିଜେଲ୍ ୯୬.୮୪ ଟଙ୍କା ରହିଛି।
ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ଶେଷଥର ଲାଗି ଅଗଷ୍ଟ ୨୪, ୨୦୨୧ରେ କମି ଥିଲା।
Powered by Froala Editor