ପୁଣି କଂଗ୍ରେସକୁ ଫେରିଲେ ବିଭୂତି
ଭୁବନେଶ୍ୱର : କଟକ ଜିଲ୍ଲାର ଟାଣୁଆ ନେତା ବିଭୂତି ମିଶ୍ରଙ୍କର ଘର ବାହୁଡ଼ା ହୋଇଛି । ଓଡ଼ିଶା ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାରଙ୍କ ଉପସ୍ଥିତିରେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବ ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଗଣେଶ୍ୱର ବେହେରା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଠଗଡ଼ରେ ବିଭୂତିଙ୍କର ଦୃଢ଼ ସଂଗଠନ ରହିଛି । ତେବେ ରାଜ୍ୟରେ କଂଗ୍ରେସର ଅନ୍ତଦ୍ୱର୍ନ୍ଦ୍ୱ ଯୋଗୁଁ ପ୍ରଥମେ ସେ ପ୍ୟାରୀଙ୍କ ଜନମୋର୍ଚ୍ଚା ଓ ପରେ ବିଜେପିରେ ଯୋଗଦାନ କରିଥିଲେ । ଫଳରେ ଆଠଗଡ଼ରେ କଂଗ୍ରେସ ଦୁର୍ବଳ ହୋଇଯାଇଥିଲା । ତେବେ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ପରେ ମାନସ ଚୌଧୁରୀ ନିରନ୍ତର ଭାବେ ବିଭୂତିଙ୍କ ସହ ଯୋଗାଯୋଗ କରି ତାଙ୍କୁ ଘରକୁ ବାହୁଡ଼ାଇ ଆଣିଥିଲେ ।
ଦଳରେ ଯୋଗଦାନ ପରେ ଏସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିଯେ, ବିଭୂତି ବାବୁ ଜଣେ ଟାଣୁଆ ନେତା । କଂଗ୍ରେସ ଏବେ ଧିରେଧିରେ ସଂଗଠିତ ହେବାରେ ଲାଗିଛି । ତାଙ୍କର ଯୋଗଦାନ ଫଳରେ କଟକ ଜିଲ୍ଲାରେ କଂଗ୍ରେସ ଆହୁରି ମଜବୁତ ହୋଇପାରିବ ବୋଲି ନିରଞ୍ଜନ କହିଛନ୍ତି ।
ସେହିପରି କଟକରେ ଏବେ ବିଜେଡ଼ି ଓ ବିଜେପି ଭାଇଭାଇ ହୋଇ ରହିଛନ୍ତି । ଉଭୟ ଉଭୟଙ୍କ ସହ ସାଲିସ କରିଚାଲିଥିବାବେଳେ କଂଗ୍ରେସ ପ୍ରତି ଜନସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । କଂଗ୍ରେସ ଏବେ ମଜବୁତ ହେଉଥିବାବେଳେ ବିଭୂତି ମିଶ୍ରଙ୍କ ଆଗମନ ଦଳକୁ ବଳ ଦେଇଛି ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି ।
Powered by Froala Editor