କୋଭିଡ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ।

କୋଭିଡ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ।
ଭୁବନେଶ୍ୱର: ଧୀରେ ଧୀରେ କୋଭିଡ ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର ପୁଣି ଥରେ କଟକଣା ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ବିଭିନ୍ନ ଜିଲ୍ଲା ପାଇଁ ବରିଷ୍ଠ ଆଇଏଏସ ଅଫିସରଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ଆଇଏଏସ ଅଫିସର ଏନ ତିରୁମାଲା ନାଏକଙ୍କୁ ଭୁବନେଶ୍ୱର ସିଟି ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ପରିବହନ ସଚିବ ମଧୁସୂଦନ ପାଢ଼ୀ ବାଲେଶ୍ୱର ଓ ଭଦ୍ରକ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଏବଂ ଆଇଏଏସ ଅଫିସର ବେଣୁଧର ବେହେରା ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡା, ସୁନ୍ଦରଗଡ଼, ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର ଏବଂ ଆଇଏଏସ ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ସଚିବ ଜି ଆଥିଭାଥନନ ଗଞ୍ଜାମ ଓ ଗଜପତି ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଆଇଏଏସ ଅଫିସର ଡ.ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା, ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ ଏବଂ ଆଇଏଏସ ଅଫିସର ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ, ଦେବଗଡ଼, ଢେ଼ଙ୍କାନାଳ, ଶ୍ରମ ବିଭାଗ ସଚିବ ଚିତ୍ରା ଅରଗୁମଙ୍କୁ ସୋନପୁର ଓ ସମ୍ବଲପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।