ଅଫିସ୍ରୁ ଛୁଟି ପାଇବାକୁ ଚାଲାକି : ଜଣେ ମହିଳାଙ୍କୁ ୪ ଥର ବିବାହ କଲେ ଯୁବକ
ସବୈତନିକ ଛୁଟି ପାଇବାକୁ ଜଣେ ଯୁବକ ୪ ଥର ବିବାହ କରିଛନ୍ତି । ବିଚିତ୍ର କଥା ଯେ, ସେ ଜଣେ ମହିଳାଙ୍କୁ ହିଁ ବାରମ୍ବାର ଛାଡପତ୍ର ଦେଇ ୪ ଥର ବିବାହ କରିଛନ୍ତି । ଏହା ପଛରେ କାରଣ କେବଳ ଛୁଟି । ଏ କଥା ଜଣାପଡିବା ପରେ ସବୁଠି ଚର୍ଚ୍ଚା ଲାଗି ରହିଛି । ସୂଚନାନୁଯାୟୀ, ତାଇପେଇ ସ୍ଥିତ ଏକ ବ୍ୟାଙ୍କରେ ଯୁବକ ଜଣକ କିରାଣି ଭାବେ ଚାକିରି କରନ୍ତି । ଯୁବକ ଜଣକ ଗତବର୍ଷ ଏପ୍ରିଲ ୬ରେ ପ୍ରଥମ ବିବାହ କରିଥିଲେ। ଏଥିପାଇଁ ତାଙ୍କୁ ୮ ଦିନ ଛୁଟି ମିଳିଥିଲା। ତେବେ ଛୁଟି ସରିବା ପରଦିନ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ସହ ଦ୍ବିତୀୟ ବିବାହ ପାଇଁ ସବୈତିନିକ ଛୁଟି ଆବେଦନ କରିଥିଲେ। ଏହିପରି ଭାବେ ସେ ସମାନ ମହିଳାଙ୍କୁ ୪ ଥର ବିବାହ କରିଥିଲେ। ଏବଂ ପ୍ରଥମ ବିବାହର ୩୭ ଦିନ ଭିତରେ ତୃତୀୟ ଛା଼ଡ଼ପତ୍ର ଦେଇଥିବା ଏବେ ଜଣାଯାଇଛି। ଏଭଳି ବ୍ୟବସ୍ଥା ସେଠାରେ ଆଇନସମ୍ମତ ଥିବାରୁ ସେ ଏହି ଛୁଟି ହାସଲ ପାଇଁ ଏପରି କରିଥିଲେ। ତେବେ ବ୍ୟାଙ୍କ ଏ ସବୁ କଥା ଜାଣିପାରି ତାଙ୍କୁ କେବଳ ପ୍ରଥମ ବିବାହ ପାଇଁ ୮ ଦିନର ଛୁଟି ମଞ୍ଜୁର କରିଥିଲେ। ଏହା ବିରୋଧରେ ସେ ତାଇପେଇ ଶ୍ରମିକ ବ୍ୟୁରୋରେ ଶରଣ ପଶିଥିଲେ। ଏପରି ଅନୁଚିତ ଛୁଟି ହାସଲ ପାଇଁ ଉକ୍ତ ବ୍ୟାଙ୍କ କିରାଣିଙ୍କ ଆଚରଣ ଅନୈତିକ ହୋଇଥାଇପାରେ। ମାତ୍ର ତାଙ୍କୁ ଦର୍ଶାଯାଇଥିବା କାରଣ ପାଇଁ ଛୁଟି ନଦେଇ ସଂପୃକ୍ତ ବ୍ୟାଙ୍କ ଶ୍ରମିକ ଆଇନର ଉଲ୍ଲଂଘନ କରିଛି ବୋଲି ବ୍ୟୁରୋ ଟିପ୍ପଣୀ କରିବା ସହ ଜରିମାନା କରିଥିଲେ।