ବୀଭତ୍ସ ହତ୍ୟାକାଣ୍ଡ: ରାଜଧାନୀରେ ଯୁବକଙ୍କୁ ଛୁରି ଭୁସି ହତ୍ୟା
ଭୁବନେଶ୍ୱର: ମଦ ପିଇବାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥ ନଗରରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ସନାତନ ରାଉତରାୟ।
ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ୪ ଜଣ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନେ ଚୋରା ମଦ ବ୍ୟବସାୟ କରୁଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ, ମଦ ପିଇବାକୁ କେନ୍ଦ୍ର କରି ସନାତନ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ସାମନ୍ୟ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ପରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ସନାତନଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ମାରି ଦେଇଥିଲେ।
Powered by Froala Editor