ଗଛରେ ଚଢି ନିଶାଗ୍ରସ୍ତ ଯୁବକର ଉତ୍ପାତ
ଗଛରେ ଚଢି ଜଣେ ନିଶାଗ୍ରସ୍ତ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛି । ଯୁବକ ଜଣକ ହଙ୍ଗାମା କରିବା ସହ ଲୋକଙ୍କୁ ଗାଳିଗୁଲଜ କରିବା ଘଟଣା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ସଂପୃକ୍ତ ନିଶାଗ୍ରସ୍ତ ଯୁବକଙ୍କୁ କାବୁ କରିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଛି । ଦୀର୍ଘ ୫ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ କୌଶଳ କ୍ରମେ ଯୁବକଙ୍କୁ କାବୁ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସଂପୃକ୍ତ ଯୁବକଙ୍କୁ ସୁଧାରଗୃହ ପଠାଯିବ ବୋଲି ସୂଚନା ମିଳିଛି ।
ଏଭଳି କାଣ୍ଡ ଘଟାଇଥିବା ଯୁବକ ଜଣକ ହେଲେ ଚମ୍ପତି ଗ୍ରାମସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ସ୍ଥାନୀୟ ଅଞ୍ଚଳର ସମ୍ୱିତ୍ ରାୟ(୨୫) । ସେ ପ୍ରଥମେ ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତାରେ ଯାଉଥିବା ଯୁବକଙ୍କୁ ଗାଳି ଗୁଲଜ କରିଥିଲେ । ଲୋକେ ପ୍ରତିବାଦ କରିବାରୁ ଆରମ୍ଭ କରିଥିଲେ ହଙ୍ଗାମା । ଏପରିକି ରାସ୍ତା କଡ଼ରେ ଥିବା ଏକ ଚାକୁଣ୍ଡା ଗଛ ଉପରକୁ ଚଢିଯାଇଥିଲେ । ବିପଦପୂର୍ଣ୍ଣ ଅବସ୍ଥାରେ ଗଛର ପ୍ରାୟ ୩୦ ଫୁଟ୍ ଉଚ୍ଚ ଡାଳରେ ବସି ରହି ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବାକୁ ଧମକଚମକ ଦେଇଥିଲେ । ତୁହାକୁ ତୁହା ବର୍ଷା ସତ୍ତେ୍ୱ ଗଛ ଉପରେ ଦୀର୍ଘ ଘଣ୍ଟା ଧରି ଯୁବକ ଜଣକ ବସିରହି ଏଭଳି ଉନ୍ମତ୍ତ କାଣ୍ଡ କରିବାରୁ ଗ୍ରାମବାସୀ ଜଗତପୁର ଥାନାକୁ ଖବର ଦେଇଥିଲେ । ଶେଷରେ ଅଗ୍ନିଶମ କର୍ମଚାରୀମାନେ ଗଛରେ ସିଡି ଓ ରଶି ସାହାଯ୍ୟରେ ଦୀର୍ଘ ୫ ଘଣ୍ଟା ପରେ ଯୁବକଙ୍କୁ ଗଛ ଉପରୁ ଉଦ୍ଧାର କରିଥିଲେ ।
Powered by Froala Editor