ସୌମ୍ୟରଞ୍ଜନ ମହାପାତ୍ର ମୃତୁ୍ୟ ମାମଲା, ଧରାପକାଇବ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତୁ୍ୟ ମାମଲାରେ କ୍ରାଇମବ୍ରାଞ୍ଚ ଶନିବାର ଦିନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ ଜେରା କରିଛି । ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସରେ ଚାଲିଥିବା କ୍ରାଇମବ୍ରାଞ୍ଚ ଅସ୍ଥାୟୀ କାର୍ଯ୍ୟାଳୟରେ ୪ ଜଣିଆ ଟିମ୍ ଡିଏଫଓଙ୍କୁ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲେ । ଅଡ଼ୁଆ ସୂତାରେ ଛନ୍ଦି ହୋଇଥିବା ଏହି ରହସ୍ୟଜନକ ମୃତୁ୍ୟ ଘଟଣାରେ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା କିଛି ଥଳକୁଳ ପାଉ ନଥିବା ବେଳେ ଅବଶ୍ୟକ ପଡ଼ିଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫ୍ଓ ଶ୍ରୀ ବେହେରାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।
ଶନିବାର ଡିଏଫଓ ଶ୍ରୀ ବେହେରାଙ୍କୁ ବିଭିନ୍ନ ଦିଗରୁ ଗୋଟି ଗୋଟି କରି ପ୍ରଶ୍ନ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପନôୀ ବିଦ୍ୟାଭାରତୀଙ୍କ ସହ ତାଙ୍କର ସମ୍ପର୍କ, କାର୍ଯ୍ୟସ୍ଥଳରେ ଏସିଏଫଙ୍କୁ ହଇରାଣ କରିବା, ଜାଣିଶୁଣି ରାତ୍ରୀ ଡୁ୍ୟଟିରେ ନିୟୋଜିତ କରିବା, କାର୍ଯ୍ୟସ୍ଥଳରେ ମାନସିକ ଚାପ ସୃଷ୍ଟି କରିବା ଏବଂ ଘଟଣା ଦିନ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସୌମ୍ୟଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଡିଏଫଓ ଉପସ୍ଥିତ ଥିବା ଏବଂ ଜମାନବନ୍ଦୀ ନେବା ବେଳେ ମଧ୍ୟ ଉପସ୍ଥିତ ରହି ମାଜିଷ୍ଟ୍ରେଟଙ୍କୁ ପ୍ରଭାବିତ କରିଥିବା ନେଇ ପରିବାର ଲୋକେ ଆଣିଥିବା ଅଭିଯୋଗ ଆଧାରରେ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ହସ୍ପିଟାଲରେ ସୌମ୍ୟଙ୍କ ଜମାନବନ୍ଦୀ ନେଲା ବେଳେ ଡିଏଫଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି । କିନ୍ତୁ ଜମାନବନ୍ଦୀରେ କଣ ଲେଖା ଯାଉଥିଲା, ସେ ତାହା ଜାଣି ନଥିବା କହିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସୌମ୍ୟରଞ୍ଜନଙ୍କୁ ଡିଏଫଓ ଜାଣିଶୁଣି ନାଇଟ ଡୁ୍ୟଟିରେ ପକାଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ଜେରା ବେଳେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଦ୍ୟାଭାରତୀଙ୍କ ସହ ତାଙ୍କର ସଂପର୍କ ନଥିଲା ବୋଲି ଡିଏଫଓ କହିଥିବା ନେଇ ସୂଚନା ମିଳିଛି । ତେବେ ଗଣମାଧ୍ୟମକୁ କିଛି କହିବାକୁ ମନା କରି ଦେଇଥିଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା । ସେ ଯାହା କହିବା କଥା ତଦନ୍ତକାରୀ ଟିମକୁ କହିସାରିଛନ୍ତି ବୋଲି କହି ଏଡ଼ାଇ ଯାଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପର ଠାରୁ ଏ ପର୍ଯ୍ୟନ୍ତ ଡିଏଫଓଙ୍କୁ ମିଶାଇ ୧୬ ଜଣଙ୍କୁ ଜେରା କରିସାରିଲାଣି ।
Powered by Froala Editor