୧୦ ଦିନ ଭିତରେ ପେଗାସସ ନେଇ ଜବାବ ରଖିବ କେନ୍ଦ୍ର
ନୂଆଦିଲ୍ଲୀ: ମଙ୍ଗଳବାର ସୁପି୍ରମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ପେଗାସସ ଗୁପ୍ତଚରଗିରି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ଦାବିରେ ବିଭିନ୍ନ ଆବେଦନ ଉପରେ ୧୦ ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି । ସୁପି୍ରମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ସରକାର ଏପରି କିଛି କଥା ପ୍ରକାଶ କରନ୍ତୁ ବୋଲି କୋର୍ଟ ଚାହାନ୍ତି ନାହିଁ । ଯାହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ୧୦ ଦିନ ପରେ କୋର୍ଟ ଏହି ମାମଲାର ଶୁଣାଣି କରିବେ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପି୍ରମକୋର୍ଟଙ୍କୁ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ପେଗାସସ କିମ୍ବା ଅନ୍ୟ କୌଣସି ସଫ୍ଟୱେର ବ୍ୟବହୃତ ହୋଇଛି କି ନାହିଁ କେନ୍ଦ୍ର ସରକାର ସର୍ବସାଧାରଣରେ ତାହା ପ୍ରକାଶ କରିପାରିବେ ନାହିଁ । ତେବେ ବିଶେଷଜ୍ଞ କମିଟି ଆଗରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ମେହେଟ୍ଟା କହିଛନ୍ତି ।
Powered by Froala Editor