ତାଲିବାନୀଙ୍କୁ ଡରିଲେନି ଏହି ମହିଳା ଗଭର୍ଣ୍ଣର
କାବୁଲ : ତାଲିବାନୀମାନେ ଆଫଗାନିସ୍ତାନ କବଜା କରିନେବା ପରେ କୋଟିକୋଟି ଆଫଗାନୀ ଏବେ ଭୟଭୀତ ହୋଇପଡ଼ିଛନ୍ତି । ଏପରିକି ରାଷ୍ଟ୍ରପତି ଘନି ମଧ୍ୟ ଭୟରେ ଦେଶ ଛାଡ଼ି ପଳାଇଛନ୍ତି । ଅନେକ ନେତା ତାଲିବାନୀଙ୍କ ପାଖରେ ଆତ୍ମସମର୍ପଣ କରିବାକୁ ବି ବାଧ୍ୟ ହୋଇଛନ୍ତି ।
ଏସବୁ ଭିତରେ ଜଣେ ମହିଳାଙ୍କୁ ନେଇ ଏବେ ବେଶ ଚର୍ଚ୍ଚା । ଆଫଗାନିସ୍ତାନର ପ୍ରଥମ ମହିଳା ଗଭର୍ଣ୍ଣର ସଲିମା ମଜାରୀଙ୍କୁ ତାଲିବାନମାନେ ଧରି ନେଇଛନ୍ତି । ତେବେ ବଡ଼ କଥା ହେଉଛି, ସଲିମା ହିଁ ଏକମାତ୍ର ନେତ୍ରୀ ଯିଏକି ତାଲିବାନୀଙ୍କ ବିରୋଧରେ ଶେଷପର୍ଯ୍ୟନ୍ତ ଲଢେ଼ଇ କରୁଥିଲେ ।
ସଲିମା ତାଲିବାନୀଙ୍କୁ ଆଦୌ ଡରିନଥିଲେ । ଅନ୍ୟ ରାଜ୍ୟଗୁଡ଼ିକ ଭଳି ସେ ଆତ୍ମସମର୍ପଣ ବଦଳରେ ଲଢେ଼ଇକୁ ହିଁ ଚୟନ କରିଥିଲେ । ନିଜେ ବନ୍ଧୁକ ନେଇ ମଧ୍ୟ ଲଢେ଼ଇ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ସଲିମାଙ୍କୁ ତାଲିବାନୀମାନେ ଗିରଫ କରିଥିବାବେଳେ ତାଙ୍କୁ କି ଦଣ୍ଡ ମିଳିବ ତାହା ଉପରେ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମହିଳାମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁର ତାଲିବାନ ଯେଭଳି ତାଙ୍କୁ ଦଣ୍ଡିତ ନକରେ ସେଥିପ୍ରତି ବିଶ୍ୱ ସମୁଦାୟ ଦୃଷ୍ଟିଦେବାର ଆବଶ୍ୟକତା ରହିଛି ।
Powered by Froala Editor