କଥାରୁ ଓହରିଲା ତାଲିବାନ : ସରକାରୀ ମହିଳା ଆଙ୍କର୍ସଙ୍କୁ ବ୍ୟାନ କରି ନ୍ୟୁଜ ପଢିଲେ ତାଲିବାନୀ ଯୁବକ
ମହିଳାଙ୍କୁ ସମ୍ମାନ ଦିଆଯିବ । ଚାକିରି କ୍ଷେତ୍ରରେ ମଧ୍ୟ ସୁରକ୍ଷା ଦିଆଯିବ । ତାଲିବାନ ଗତକାଲି ମହିଳାଙ୍କୁ ନେଇ ଏଭଳି ବିବୃତ୍ତି ଦେଇଥିବାବେଳେ ଆଜି ଓଲଟା କାମ କରିଛି । ମହିଳାଙ୍କୁ ଆବଶ୍ୟକ ମୁତାବକ ସ୍ୱାଧୀନତା ଦିଆଯିବା କହିବା ପରେ ଆଜି ସରକାରୀ ଚ୍ୟାନେଲଗୁଡିକରେ ମହିଳା ନ୍ୟୁଜ ଆଙ୍କର୍ସଙ୍କୁ ବ୍ୟାନ କରାଯାଇଛି । ଏପରିକି ଏହା ସ୍ଥାନରେ ତାଲିବାନ ଯୁବକ ଆଙ୍କରିଂ ଆରମ୍ଭ କରି ଦେଇଛନ୍ତି ।
ଖଦିଜା ଆମିନା ନାମକ ଜଣେ ମହିଳା ସରକାରୀ ଖବର ଚ୍ୟାନେଲରେ ଆଙ୍କର୍ ଥିଲେ, ତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି । ବହିଷ୍କୃତ ହେବା ପରେ ଆଫଗାନିସ୍ତାନ ନ୍ୟୁଜ୍ ଆଙ୍କର୍ ଖଦିଜା ଆମିନା କହିଛନ୍ତି, ‘ମୁଁ କ’ଣ କରିବି, ପରବର୍ତ୍ତୀ ପିଢୀରେ କୌଣସି କାମ ହେବ ନାହିଁ । ୨୦ ବର୍ଷରେ ଯାହା ହାସଲ ହୋଇଛି ତାହା ଦୂର ହୋଇଯିବ । ତାଲିବାନ ହେଉଛନ୍ତି ତାଲିବାନ, ଯେଉଁମାନେ କି କେବ ବି ପରିବର୍ତ୍ତନ ହେବେନାହିଁ ।"
ଏପଟେ ବଲଖ ପ୍ରାନ୍ତର ଗଭର୍ଣ୍ଣର ସଲିମା ମଜାରୀଙ୍କୁ ତାଲିବାନମାନେ ଗିରଫ କରି ନେଇଛନ୍ତି । ସେ ତାଲିବାନଙ୍କ ବିରୋଧରେ ଖୋଲାଖୋଲି ଭାବେ ମୁହଁ ଖୋଲିଥଲେ । ଏପରିକି ସେ ଏଥିନେଇ ଅସ୍ତ୍ର ଉଠାଇବା ଆରମ୍ଭ କରିଥିଲେ ।
ସୂଚନା ଥାଉକି, ଦିନକ ପୂର୍ବରୁ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନ ଆଫଗାନିସ୍ତାନ ମୁକ୍ତ ହୋଇଛି । ପୂର୍ବ ସରକାରରେ ମହିଳାଙ୍କ ଉପରେ ଅନେକ କଡା ପ୍ରତିବନ୍ଧକ ଲଗାଯାଇଥିଲା । ଏଥି ସହିତ, ତାଙ୍କ ଶାସନ କାଳରେ ମହିଳାଙ୍କ ପ୍ରତି କୌଣସି ଭେଦଭାବ ହେବ ନାହିଁ । ମୁଜାହିଦ୍ ଅନୁଯାୟୀ ମହିଳାମାନଙ୍କୁ ଇସଲାମିକ୍ ଆଇନର ନିୟମ ଅନୁଯାୟୀ ଅଧିକାର ଦିଆଯିବ । ମହିଳାମାନେ ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ସ୍ୱାଧିନତା ପାଇବେ । ମାତ୍ର ବର୍ତ୍ତମାନ ତାଲିବାନ କହୁଛି ମହିଳାମାନଙ୍କୁ କେବଳ ସରିଆ ନିୟମ ଅନୁଯାୟୀ କାମ କରିବାକୁ ଅନୁମତି ଦିଆଯାଇଛି ।
୨୦ ବର୍ଷ ପୂର୍ବେ ତାଲିବାନର ଶାସନ ସମୟରେ ଆଫଗାନିସ୍ତାନର ମହିଳାମାନେ ଘରର ଚାରି କାନ୍ଥରେ ସୀମିତ ରହିଥିଲେ । ଏପରିକି ସେତେବେଳେ ମହିଳାଙ୍କ ଜୀବନ ଏବଂ ଅଧିକାର ଉପରେ ଅନେକ କଠୋର ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ତାଲିବାନ ପୁଣି ଥରେ କ୍ଷମତାକୁ ଆସିଛି । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ମହିଳାଙ୍କ ସୁରକ୍ଷା ଏବଂ ଅଧିକାର ସବୁଠୁ ବଡ ସମସ୍ୟା ହୋଇ ରହିଛି ।
Powered by Froala Editor