ଅଯୋଗ୍ୟଙ୍କୁ ଛାତ୍ରବୃତ୍ତି , ପ୍ରାକ୍ତନ ପ୍ରଶାସକ ଗିରଫ
ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ମେଧାବୃତ୍ତି ପ୍ରଦାନରେ ହୋଇଥିବା ବଡ଼ଧରଣର ଦୁର୍ନୀତିରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ବିଭାଗର ଜଣେ ଅବସରପ୍ରାପ୍ତ ପ୍ରଶାସକ ପ୍ରକାଶଚନ୍ଦ୍ର ରଥଙ୍କୁ ଗିରଫ କରିଛି। ଶ୍ରୀ ରଥଙ୍କୁ ତାଙ୍କ ବାଲିଅନ୍ତାସ୍ଥିତ ବାସଭବନରୁ ଗିରଫକରି ସ୍ଥାନୀୟ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ନିକଟରେ ହାଜର କରାଯାଇଛି।
ପୂର୍ବରୁ ଏଭଳି ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଅର୍ଥନୈତିକ ଅପରାଧ ଶାଖା ୨୦୧୭ରେ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଇ-ମେଧାବୃତ୍ତି ଯୋଜନାରେ ଉଚ୍ଚଶିକ୍ଷା ବିଭାଗରେ ୨୦୧୪-୧୫ ବର୍ଷରେ ମେଧାବୃତ୍ତି ପାଇଁ ଶହ ଶହ ଅଯୋଗ୍ୟ ଓ ଅନୁପଯୁକ୍ତ ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ପ୍ରଦାନ କରାଯାଇଥିଲା। ତେବେ ଏହି ଦୁର୍ନୀତିରେ ଅନେକ ଅର୍ଥ ବାଟମାରଣା ହୋଇଥିଲା। ଏପରିକି ଅନେକ ଛାତ୍ର ଗାଈ ଜଗୁଆଳି ଏବଂ ମାଟ୍ରିକ ପରୀକ୍ଷାରେ ଉର୍ତ୍ତୀଣ୍ଣ ହୋଇ ନ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗଠାରୁ ମେଧାବୃତ୍ତି ପାଇଥିଲେ। ତେବେ ଏହି ଦୁର୍ନୀତିରେ ତତ୍କାଳୀନ ଉଚ୍ଚଶିକ୍ଷା ବିଭାଗର ଅନୁସଚିବ ଥିବା ଶ୍ରୀ ରଥଙ୍କୁ ଗିରଫ କରିଛି।
Powered by Froala Editor