ଧର୍ମେନ୍ଦ୍ରଙ୍କୁ ଏଭଳି ଜବାବ ଦେଲେ ପ୍ରତାପ

ଭୁବନେଶ୍ୱର: ରାଜ୍ୟରେ ଟିକା ଅଭାବ ଅଭିଯୋଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ପଣୀ ପରେ ବିଜେଡି ନେତା ପ୍ରତାପ ଦେବ ତାଙ୍କୁ ଜବାବ ଦେଇଛନ୍ତି ।
ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ତଥ୍ୟ ଓ ସତ୍ୟ ଉପରେ ମତ ରଖନ୍ତୁ । ଟିକାକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜନୀତି ନକରନ୍ତୁ । ଦିନକୁ ୨ ଲକ୍ଷ ଡୋଜ ଟିକା ଦିଆଯାଉଥିଲା । ତେବେ ଏବେ ଅଭାବରୁ ୧ ଲକ୍ଷ ଖସିଛି । ପର୍ଯ୍ୟାପ୍ତ ଟିକା ଆସିପାରୁନଥିବାରୁ ଖସଡ଼ା ପ୍ରସ୍ତୁତିରେ ଅସୁବିଧା ହେଉଛି । ଟିକା ଅଭାବ ନେଇ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିବା କ’ଣ ଭୁଲ ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଯେ, ଟିକା ଅଭାବନେଇ ରାଜ୍ୟରେ ଶତାଧିକ ଟିକାକେନ୍ଦ୍ର ବନ୍ଦ ହେବାକୁ ବସିଲାଣି । ତେବେ ରାଜ୍ୟରେ ଟିକା ଅଭାବ ଅଭିଯୋଗ ନେଇ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, ଭାରତରେ ୧୧/୧୨ କୋଟି ଟିକା ମଧ୍ୟରୁ ଓଡ଼ିଶାକୁ ୪୫ ଲକ୍ଷ ଟିକା ଆସିଛି । ରାଜ୍ୟରେ ଟିକାର ଅଭାବ ବିବାଦ ଏଠିକାର ସ୍ୱାସ୍ଥ୍ୟ ସଚିବ ଆରମ୍ଭ କରିଛନ୍ତି । ମୋ ମତ ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁନାହାନ୍ତି । ନିଜର ବାହାପିଆ ପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି । ଏଠିକାର ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି । ମୁଁ ତାଙ୍କୁ ଶୁଭେଚ୍ଛା ଦେଉଛି । ଅନୁରୋଧ ଏପରି କ୍ରାଇସେସ ତିଆରି ନକରନ୍ତୁ । ଟିକା ଅଭାବ ହୋଇନି । ଶୀଘ୍ର ଆଉ ୨/୩ଟି ଟିକାକୁ ସରକାର ଅନୁମତି ଦେବେ । ଏହା ଦ୍ୱାରା ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।