୧୬ରେ ପୁରୀ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ
ପୁରୀ: ଅଗଷ୍ଟ ୧୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୁରୀ ଗସ୍ତ ସୂଚୀ ରହିଛି । ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ । ଗସ୍ତ ପୂର୍ବରୁ ପୁରୀର କଣ ସବୁ ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍ ତଥ୍ୟ ସଂଗ୍ରହ କରାଯାଉଛି । ଏହି ସୂତ୍ରରୁ ସୂଚନା ମିଳିଛି ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ପୂରାତନ ବିଏନ୍ଆର ହୋଟେଲ ପରିସରରେ ଥିବା ବ୍ରିଟଶ ଅମଳର ଲୋକୋମୋଟିଭ୍ ଷ୍ଟିମ୍ ରେଳ ଇଞ୍ଜିନକୁ ଭୁବନେଶ୍ୱର ସ୍ଥାନାନ୍ତର ଉପରେ ମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିବେ । ପୁରୀ ଷ୍ଟେସନ ସମ୍ମୁଖରେ ରଖାଯିବ ବୋଲି ଅଭାସ ମିଳିଛି ।
ବିଶେଷ କରି ରାଜ୍ୟର ଧାର୍ମିକ ରାଜଧାନୀ ପୁରୀରୁ ଏହି ଇଞ୍ଜିନକୁ ଅନ୍ୟତ୍ର ସ୍ଥାନାନ୍ତର ନକରିବାକୁ ଲୋକଙ୍କ ପ୍ରତିକ୍ରିୟା ସମ୍ପର୍କରେ ରେଳମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏହି ପୃଷ୍ଠଭୂମିରେ ରେଳ ଇଞ୍ଜିନକୁ ପୁରୀରେ ସ୍ଥାନିତ କରିବାକୁ ରେଳ ବିଭାଗ ପ୍ରସ୍ତୁତି ଚଳାଇଥିବାର ଖବର ମିଳିଛି । ଐତିହ୍ୟ ସମ୍ପନ୍ନ ଏହି ରେଳ ଇଞ୍ଜିନକୁ ଭୁବନେଶ୍ୱର ସ୍ଥାନାନ୍ତର ନ କରି ପୁରୀ ରେଳ ଷ୍ଟେସନରେ ଐତିହ୍ୟ ରୂପେ ସଂରକ୍ଷିତ ରଖିବାକୁ ପ୍ରସ୍ତୁତି କରୁଥିବାର ସୂଚନା ମିଳିଛି । ବିଭିନ୍ନ ଗଣମାଧ୍ୟମରେ ଏହି ରେଳ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ ପ୍ରମୁଖ ଚର୍ଚ୍ଚାର ବିଷୟ ହେବା ପରେ ଏବେ ଏହାର ମରାମତି ଆରମ୍ଭ ହୋଇଛି ।
ସେହିଭଳି ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ ରେଳ ପଥ ପ୍ରକଳ୍ପ ସମ୍ପର୍କରେ ରେଳମନ୍ତ୍ରୀ କିଛି ଘୋଷଣା କରିବା ନେଇ ମଧ୍ୟ ଆଶା କରାଯାଉଛି। ରାଜ୍ୟର ପର୍ୟ୍ୟଟନ ମ୍ୟାପରେ ଗୋଲଡେନ୍ ଟ୍ରାଏଙ୍ଗଲ ରୂପେ ପରିଚିତ ପୁରୀ-ଭୁବନେଶ୍ୱର-କୋଣାର୍କ ଟୁରିଷ୍ଟ ରୁଟ୍ରେ ଏହି ରେଳପଥ ପ୍ରମୁଖ ଭୂମିକା ନେବ ବୋଲି ବିଶେଷଜ୍ଞମାନେ ମତ ଦେବା ସହ ଏହି ରେଳପଥକୁ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି ।
Powered by Froala Editor