ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ହତ୍ୟା
କବିସୂର୍ଯ୍ୟନଗର: ସକାଳ ୯ଟା । ଫିଲ୍ମ ଷ୍ଟାଇଲରେ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଘେରିଗଲେ ୪ ଜଣ ଦୁର୍ବୃତ୍ତ । କିଏ ଖଣ୍ଡାରେ ଚୋଟ ପକାଉଥିଲା ତ ଆେଉ କିଏ ଛୁରିରେ ଭୁସି ଚାଲିଥିଲା । ରାସ୍ତା ମଝିରେ ପଡ଼ି ଯୁବକ ଜଣଙ୍କ ଛଟପଟ ହେଉଥିଲେ । ରାସ୍ତାରେ ଛୁଟିଲା ରକ୍ତର ସୁଅ । ଦୂରରେ ଥାଇ ଲୋକମାନେ ଦେଖୁଥିଲେ ମଧ୍ୟ ଭୟରେ କେହି ପାଖକୁ ଆସୁନଥିଲେ ଏଭଳି ଏକ ଛାତିଥରା ଦୃଶ୍ୟ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ଦେଓଗାଁରେ ଦେଖିବାକୁ ମିଳିଛି । ପରିବାର ଲୋକ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଉଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଦେଓଗାଁରେ ଜିତେନ୍ଦ୍ର ସ୍ୱାଇଁ ଓ ଅନ୍ୟ ଜଣେ ଯୁବକ ବାଇକରେ ନିଜ ଗାଁକୁ ଫେରୁଥିଲେ । ପୂର୍ବରୁ ଦେଓଗାଁ ରାଧାକୃଷ୍ଣ ହାଇସ୍କୁଲଠାରେ ୪ ଦୁର୍ବୃତ୍ତ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ଜିତେନ୍ଦ୍ର ପହଞ୍ଚିବା ପରେ ରାସ୍ତା ଉପରେ ଘେରି ଯାଇଥିଲେ । ପଛରେ ବସିଥିବା ଯୁବକ ଜଣଙ୍କ ଦୌଡ଼ି ପଳାଇଥିବା ବେଳେ ଜିତେନ୍ଦ୍ରକୁ ଘେରି ସଂଘବଦ୍ଧ ଆକ୍ରମଣ କରିଥିଲେ । ଖଣ୍ଡା ଓ ଛୁରିରେ ହାତ, ଗୋଡ଼, ମୁଣ୍ଡ ଓ ପେଟକୁ ବାରମ୍ବାର ଆକ୍ରମଣ କରିଥିଲେ ।
Powered by Froala Editor