ଜାତିପ୍ରଥାର ଘୃଣ୍ୟ ଚିତ୍ର : ଜାତି ଅଲଗା ବୋଲି ଛୁଇଁଲେନି ଶବ, ଶଗଡ଼ରେ ନେଇ ସତ୍କାର କଲା ପୁଅ

ଜାତିପ୍ରଥାକୁ ଦୂରେଇ ସମାଜ ଯେତେ ଉନ୍ନତିପଥରେ ଗଲେ ବି କିଛି ଲୋକଙ୍କ ମାନସିକତା ଏବେବି ବଦଳିନି । ଜାତିପ୍ରଥାର ଘୃଣ୍ୟ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ । ଜଣେ ବ୍ୟକ୍ତି ଅଲଗା ଜାତିର ହୋଇଥିବାରୁ ଶବ ଛୁଇଁଲେନି ସାହି ପଡ଼ିଶା । ଶେଷରେ ନାବାଳକ ପୁଅ ଶଗଡରେ ନେଇ ଶବ ସତ୍କାର କରିଛି ।
ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତର ପାଢ଼େଲ ଗାଁର କଲ୍ୟାଣଙ୍କ ଘର ଛତିଶଗଡ଼ରେ । ସେ ପାଢ଼େଲ ଗାଁର ସୀତା ସରାଫଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇ ପୁଅ ଓ ଦୁଇ ଝିଅ । ଗତ କିଛି ଦିନ ତଳେ କଲ୍ୟାଣଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ୍ୟୁବରଣ କରିଥିଲେ କଲ୍ୟାଣ । ମୃତଦେହକୁ ପରିବାର ଲୋକ ଗାଁକୁ ଆଣିଥିଲେ । ଶେଷକୃତ୍ୟରେ ସହଯୋଗ କରିବା ପାଇଁ ପରିବାର ଲୋକଙ୍କୁ ଖବର ଦେଇଥିଲେ ସୀତ ସରାଫ । କିନ୍ତୁ କଲ୍ୟାଣ ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ଆସି ନଥିଲେ । ଜାତି କି ସମାଜ କେହି ଶବ ସତ୍କାରରେ ସହଯୋଗ କରି ନଥିଲେ ।
ଅନ୍ୟ ଜାତିର ହୋଇଥିବାରୁ କଲ୍ୟାଣକୁ ଚାରି କାନ୍ଧ ମିଳିଲା ନାହିଁ । କଲ୍ୟାଣଙ୍କ ଅବୋଧ ଶିଶୁଙ୍କ ପ୍ରତି ସମ୍ପର୍କୀୟ କି ସମାଜ କାହାର ଟିକିଏ ହେଲେ ଦରଦ ହେଲା ନାହିଁ । ଶେଷରେ ଶଗଡ଼ ଗାଡ଼ିରେ ଶବକୁ ଲଦି ପାଖ ଜଙ୍ଗଲକୁ ନେଇଥିଲା ନାବାଳକ ପୁଅ ।
Powered by Froala Editor