ଢିଲା ସୁରକ୍ଷା ଜଳଜଳ; ଲଜ୍ରେ ରହୁଥିଲେ ହାଇଦରକୁ ଜଗୁଥିବା ପୁଲିସ୍ କର୍ମଚାରୀ
କଟକ: କଟକ ବଡ ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର୍ ଫେରାର୍ ହେବା ପଛରେ ଢିଲା ସୁରକ୍ଷା ଜଳଜଳ । ଦିନ ଯେତିକି ଗଡ଼ୁଛି ସେତିକି ସଂଘାତିକ ତଥ୍ୟ ପଦାକୁ ଆସୁଛି । ଏବେ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହସ୍ତଗତ ହୋଇଛି । ତାହା ହେଲା; ହାଇଦରକୁ ଜଗୁଥିବା ପୁଲିସ୍ କର୍ମଚାରୀ ଲଜ୍ ବୁକ୍ କରି ରହୁଥିଲେ ।
ପୁଲିସ୍ କର୍ମଚାରୀମାନେ ମଙ୍ଗଳାବାଗର କଟକ ଚଣ୍ଡି ରୋଡ୍ରେ ଥିବା ଅହଲ୍ୟା ଲଜରେ ରହୁଥିଲେ । କନଷ୍ଟେବଲ ମହମ୍ମଦ ମୌସିମ ରୁମ୍ ବୁକ୍ କରିଥିଲେ । ଗତ ୨୩ ତାରିଖରେ ଅହଲ୍ୟା ହୋଟେଲ୍ର ରୁମ୍ ନମ୍ୱର ୨୦୧ ଓ ୧୧୦କୁ ବୁକ୍ କରିଥିଲେ ମହମ୍ମଦ ମୌସିମ । ପର ଦିନ ୨୦୧ ରୁମ୍ଟିକୁ ଛାଡ଼ି ଦେଇଥିଲେ । ୧୧୦ ରୁମ୍ରେ ଆଜି ପର୍ଯ୍ୟନ୍ତ ପୁଲିସ କର୍ମଚାରୀ ରହୁଛନ୍ତି ବୋଲି ହୋଟେଲ୍ କର୍ମଚାରୀ କହିଛନ୍ତି ।
ଗତ ଶନିବାର ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେଇ ଫେରାର ହୋଇଥିଲା ହାଇଦର । ଖବର ପ୍ରକାଶ ପାଇବା ପରେ ସୀମାକୁ ନାକାବନ୍ଦୀ କରି ଯାଞ୍ଚକୁ କଡ଼ାକଡ଼ି କରିଛି ପୁଲିସ । ହେଲେ ହାଇଦର ପତ୍ତା ପାଉନି । ଏସସିବି ମେଡିକାଲ ସର୍ଜରୀ ୱାର୍ଡ଼ ବାହାରୁ ଏକ କାର୍ରେ ହାଇଦରକୁ ତା’ର ପୁଅ ସମେତ ୪ରୁ ୫ଜଣ ବ୍ୟକ୍ତି ଖସାଇ ନେଇଥିବା କୁହାଯାଉଛି । ହସ୍ପିଟାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରୁ ପୋଲିସ ସେହି କାରର ନମ୍ବର ଜାଣିବାକୁ ଚେଷ୍ଟା କରୁଛି । ଏଥିସହ ହାଇଦର ସହଯୋଗୀଙ୍କ ଫୋନ୍କୁ ମଧ୍ୟ ଟ୍ରାକିଂ କରାଯାଉଛି । ହାଇଦରକୁ ଧରିବାକୁ ୩୦ଜିଲ୍ଲାର ଏସପିଙ୍କ ଆଲର୍ଟ କରିଛନ୍ତି ପୁଲିସ ଡିଜି । ଏଥିସହ ସାରା ରାଜ୍ୟରେ ଏସଟିଏଫ୍ ଟିମ୍ ସଜାଗ ଥିବା ବେଳେ ତନାଘନା ଚଳାଇଛି ୮ଟି ସ୍ପେଶାଲ ଟିମ୍ । ସେପଟେ ଏହି ମାମଲାରେ ୬ ପୁଲିସ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି ।
୧୭ ଦିନ ଧରି ଏସ୍ସିବିରେ ଚିକିତ୍ସାଧୀନ ଥିଲା ହାଇଦର । ସେହି ସମୟରେ ସେ ତିଆରି କରିଥିଲା ଷଡଯନ୍ତ୍ର । ଆଉ ତା’ପରେ ସେହି ଆଧାରରେ ଖସିବାରେ ସକ୍ଷମ ହୋଇଥିଲା । ମାର୍ଚ୍ଚ ୨୩ ତାରିଖରେ ସମ୍ୱଲପୁର ବୁର୍ଲାରୁ ଆସି ଏସ୍ସିବିରେ ଭର୍ତ୍ତି ହୋଇଥିଲା ହାଇଦର । ଏଥିପାଇଁ ମାଗିଥିଲା କ୍ୟାବିନ । ଆଉ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସୁପାରିଶ କରିଥିଲେ । ହାଇଦରଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ତତ୍କ୍ଷଣାତ କ୍ୟାବିନ ଦେଇଥିଲେ ମେଡ଼ିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ସେ କହିଛନ୍ତି, ହାଇଦରର ଡାଇବେଟିସ ନିୟନ୍ତ୍ରଣକୁ ଆସିଥିଲେ ତା’ର ହାଇଡ୍ରୋସିଲ୍ ଅପରେସନ ହୋଇଥାନ୍ତା । ହାଇଦରର ଏସ୍ସିବିରେ ଭର୍ତ୍ତି ହେବା ନେଇ ପୁଲିସକୁ କୁହାଯାଇନଥିଲା । ନିଖୋଜ ପରେ ଯାଇ ଅବଗତ କରାଯାଇଥିଲା ବୋଲି ଶ୍ରୀ ମହାରଣା କହିଛନ୍ତି ।
ଅପରପକ୍ଷରେ ହାଇଦରକୁ ହସ୍ପିଟାଲରୁ ଖସାଇ ଦେଶ ବାହାରକୁ ପଠାଇ ଦେବାକୁ ସୁଚିନ୍ତିତ ଯୋଜନା କରାଯାଇଛି । ଏଭଳି କିଛି ସୁରାକ୍ ମିଳିବା ପରେ
ହାଇଦର ଯେମିତି ସୀମା ପାର୍ ହୋଇ ଦେଶ ବାହାରକୁ କି କୌଣସି ପଡୋଶୀ ଦେଶକୁ ଚାଲିନଯାଏ ସେଥିପାଇଁ ସବୁ ସୀମାବର୍ତ୍ତୀ ଇଲାକାରେ ପୁଲିସର ସ୍ଵତନ୍ତ୍ର ଟିମ୍ ଯାଇ ଡେରା ପକାଇଛି । ହେଲେ ଖବର ଆସୁଛି ଯେ, ହାଇଦର କେନ୍ଦ୍ରାପଡାର ଜମ୍ବୁ ଦେଇ ଜଳପଥରେ ବାଂଲାଦେଶ ଫେରାର ହୋଇଯାଇଛି ।