ଭୀଷଣ ରୂପ ଧାରଣ କରି ଆଗକୁ ବଢ଼ୁଛି ବାତ୍ୟା ‘ଅକୱାନ୍’
ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ଅକୱାନ୍’। ଧୀରେ ଧୀରେ ଉତ୍ତର ଦିଗକୁ ମୁହାଁଇ ଆଗକୁ ବଢ଼ୁଛି ବାତ୍ୟା। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରି ଆଜି ସକାଳ ୫ଟା ୩୦ ମିନିଟ୍ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୫.୩ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଦକ୍ଷିଣ-ପୂର୍ବକୁ ପ୍ରାୟ ୪୪୦ କିଲୋମିଟର, କଳିଙ୍ଗପଟନମ୍ଠାରୁ ଦକ୍ଷିଣ-ପୂର୍ବକୁ ୪୪୦ କିଲୋମିଟର, ତାମିଲନାଡୁର ଚେନ୍ନାଇଠାରୁ ପୂର୍ବ-ଉତ୍ତର-ପୂର୍ବକୁ ୫୮୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣକୁ ୫୩୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣକୁ ୫୯୦ କିଲୋମିଟର ଦୂରରେ ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଅକୱାନ୍’ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁରର ପୂର୍ବ ପାର୍ଶ୍ୱ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
Powered by Froala Editor