ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ: ୧୯ ରୁ ୨୧ ପର୍ଯ୍ୟନ୍ତ ଘାଟି ରାସ୍ତାରେ ମୋଟରଯାନ ଚଳାଚଳ ବନ୍ଦ
ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ଓ ପଥର ଖସିବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦୁଇଟି ଘାଟି ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଗାଜଲବାଡ଼ି-ଦାରିଙ୍ଗବାଡ଼ି ଓ କଳିଙ୍ଗା ଘାଟି ରାସ୍ତାରେ ସମସ୍ତ ପ୍ରକାର ମୋଟରଯାନ ଚଳାଚଳ ବନ୍ଦ ରହିବ।
ଏନେଇ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଜରୁରୀକାଳିନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୋଟରଯାନ ଆଇନ, ୧୯୮୮ର ଧାରା ୧୧୫ ଓ ୧୧୬ ଅନୁଯାୟୀ ଏହି କଟକଣା ଲାଗୁ ହୋଇଛି। ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ସହ ରାସ୍ତା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ଯାତ୍ରୀଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେଣୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଲକ୍ଷ୍ୟରେ ପ୍ରଶାସନ ଏହି ପଦକ୍ଷେପ ନେଇଛି।
କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଗଞ୍ଜାମ ଏସ୍ପି, ଜାତୀୟ ରାଜପଥ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଘାଟି ରାସ୍ତାର ପ୍ରବେଶ ପଥରେ ବ୍ୟାରିକେଡ୍ ଲଗାଇବା ସହ ସତର୍କ ସୂଚନା ଫଳକ ସ୍ଥାପନ କରିବାକୁ କୁହାଯାଇଛି।
ପାଗ ଓ ରାସ୍ତାର ସ୍ଥିତିରେ ସୁଧାର ଆସିଲେ କଟକଣା ଆଗୁଆ ପ୍ରତ୍ୟାହାର କରାଯାଇପାରେ। ଅନ୍ୟଥା ଆବଶ୍ୟକତା ଅନୁଯାୟୀ ଏହାର ଅବଧି ବୃଦ୍ଧି ହେବ।
Powered by Froala Editor