ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପୋଷ୍ଟରକୁ ହଟାଇଲେ କୋଟିଆବାସୀ
ସେମିଳିଗୁଡ଼ା: ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, କୋଟିଆ ପଞ୍ଚାୟତରେ ରାଜନୈତିକ ଏବଂ ପ୍ରଶାସନିକ ତତ୍ପରତା ସେତିକି ବୃଦ୍ଧି ପାଉଛି। ବର୍ତ୍ତମାନ କୋଟିଆରେ ଆନ୍ଧ୍ରର ପ୍ରଚାରକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଓଡ଼ିଶା ସୀମା ମଧ୍ୟରେ ଅନୁମତି ବିନା ପ୍ରବେଶ କରି ପ୍ରଚାର କରୁଥିବା ଆନ୍ଧ୍ରର ଏକ ନିର୍ବାଚନ ପ୍ରଚାର ଗାଡ଼ିକୁ କୋରାପୁଟ ଜିଲା ପ୍ରଶାସନ ଜବତ କରିଛି। କୋଟିଆ ଓ ପଟ୍ଟାଙ୍ଗି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଛି। ଅନ୍ୟପଟେ, ଘର କାନ୍ଥରେ ଲଗାଯାଇଥିବା ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପୋଷ୍ଟରକୁ କୋଟିଆବାସୀ ହଟାଇ ଦେଇଛନ୍ତି।
ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତକୁ ସାମିଲ କରିଛି। ଏହି ନିର୍ବାଚନରେ କୋଟିଆରୁ ୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଫଗୁଣସିନେରୀ, ଉପରସେମ୍ବି ଏବଂ ପାନଗୁଲବାଲସାର ୩ ପ୍ରାର୍ଥୀ ୱାଇଏସ୍ଆର୍ ସିପି ଏବଂ ଟିଡିପି ସମର୍ଥନରେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ଦୁଇ ଦଳର ପ୍ରାର୍ଥୀମାନେ ନିଜର ନିର୍ବାଚନ ଚିହ୍ନ ପାଇସାରି ଥିବାରୁ ପଞ୍ଚାୟତର ବିଭିନ୍ନ ଗ୍ରାମପୁଞ୍ଜରେ ନିଜର ପୋଷ୍ଟର ଲଗାଇଛନ୍ତି। ଆନ୍ଧ୍ର ପ୍ରଦେଶ ସରକାରଙ୍କ ସୀମା ଉଲ୍ଲଂଘନ ନିର୍ବାଚନ ପ୍ରଚାରକୁ ଭଣ୍ଡୁର କରିବା ପାଇଁ କୋଟିଆବାସୀ ବିରୋଧ କରିଛନ୍ତି। ସୀମାନ୍ତ ନେରେଡିବାଲସା, ଫାଟୁସିନେରୀ, ଫଗୁଣସିନେରୀ, ମାଡକାର, ଡଲିଆମ୍ବ, କୋଟିଆ, ଗଞ୍ଜେଇପଦର, ତଳ ଗଞ୍ଜେଇପଦର, ଉପରସେମ୍ବି, ତଳସେମ୍ବି ଭଳି ବିବାଦୀୟ ଗ୍ରାମପୁଞ୍ଜରେ ପୋଷ୍ଟର ଲଗାଇଛନ୍ତି ଉଭୟ ଦଳର ପ୍ରାର୍ଥୀ। କେତେକ ଗ୍ରାମରେ କାନ୍ଥରେ ଲାଗିଥିବା ପୋଷ୍ଟରକୁ ଗ୍ରାମବାସୀ ଚିରି ଦେଇଥିବା ଦେଖିବାକୁ ମିଳିଛି। ସେଠାରେ କୋରାପୁଟ ଜିଲା ପ୍ରଶାସନର ନିର୍ଦେଶକ୍ରମେ ବ୍ଲକ ପ୍ରଶାସନ, ପୁଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିଲା।
Powered by Froala Editor