ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ କାର୍ଯ୍ୟକ୍ଷମ, ନିୟମ ନମାନିଲେ ଗଣିବେ ତଣ୍ଡ
ଭୁବନେଶ୍ବର : ଯାଜପୁର ଓ କେନ୍ଦୁଝର ଜିଲା ଦେଇ ଯାଇଥିବା ବଡ଼ବିଲ-ପାଣିକୋଇଲି ଚାରି ଲେନ୍ ରାଜପଥରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ (ଆଇଇଏମ୍ଏସ୍) କାର୍ଯ୍ୟକ୍ଷମ କରାଯାଇଛି। ନଭେମ୍ବର ୧ରୁ ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ୱୟଂକ୍ରିୟ ଇ-ଚାଲାଣ ଜାରି ପ୍ରକ୍ରିୟା ଆରମ୍ଭ ହେବ। ସଡ଼କରେ ଗାଡ଼ି ଚାଳକଙ୍କ ଗତିବିଧି, ସୁରକ୍ଷା ନିୟମର ପାଳନ ଏବଂ ବେଆଇନ ଗାଡ଼ିଚାଳନା ଉପରେ ୨୪ଘଣ୍ଟା କଡ଼ା ନଜର ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।
ପୂର୍ବରୁ ପୁଲିସ କିମ୍ବା ପରିବହନ ବିଭାଗର ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ସଡ଼କ କଡ଼ରେ ଠିଆ ହୋଇ ଯାଞ୍ଚ କରୁଥିଲେ। ଏବେ ସ୍ୱୟଂକ୍ରିୟ କ୍ୟାମେରା ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ନିୟମ ଖିଲାପକାରୀଙ୍କୁ ସିଧାସଳଖ ଚିହ୍ନଟ କରାଯାଇପାରିବ। ଆଇଇଏମ୍ଏସ୍ ସିଷ୍ଟମରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା, ସେନ୍ସର ଏବଂ ସ୍ପିଡ୍ ଡିଟେକ୍ଟର ଲଗାଯାଇଛି। ଏହା ଗାଡ଼ିର ନମ୍ବର ପ୍ଲେଟ୍କୁ ସ୍ପଷ୍ଟ ଭାବେ ପଢ଼ିପାରିବ। ବିଶେଷକରି, ନିମ୍ନଲିଖିତ ଚାରୋଟି ମୁଖ୍ୟ ସଡ଼କ ସୁରକ୍ଷା ଉଲ୍ଲଘଂନ ଉପରେ ଏହି ସିଷ୍ଟମ କଡ଼ା ନଜର ରଖିବ ଏବଂ ସଙ୍ଗେସଙ୍ଗେ ସ୍ୱୟଂକ୍ରିୟ ଇ-ଚାଲାଣ କାଟିବ। ମୁଖ୍ୟତଃ ରାଜପଥରେ ନିର୍ଦ୍ଧାରିତ ବେଗ ସୀମାଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ, ଦୁଇଚକିଆ ଯାନରେ ତିନିଜଣ ବସି ଯାତ୍ରା କଲେ, ବାଇକ୍/ସ୍କୁଟର ଚାଳକ କିମ୍ବା ସହ-ଯାତ୍ରୀ ହେଲମେଟ୍ ପିନ୍ଧି ନଥିଲେ, ରାଜପଥର ନିର୍ଦ୍ଧାରିତ ଦିଗର ବିପରୀତ ପାର୍ଶ୍ୱରେ ଗାଡ଼ି ଚଳାଇଲେ, ଆଇଇଏମ୍ଏସ୍ ଆପେଆପେ ଚାଲାଣ କାଟିବ। ନିୟମ ନମାନିଲେ ତଣ୍ଡ ଗଣିବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଚେତାବନୀ ଦିଆଯାଇଛି।
Powered by Froala Editor