ମାସ ଶେଷ ସପ୍ତାହ ବେଳକୁ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହ ବେଳକୁ ବଙ୍ଗୋପସାଗର ଏବଂ ଆରବ ସାଗରରେ ପୃଥକ୍ ଭାବେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଗୁରୁବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ତା’ର ବିସ୍ତାରିତ ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ କରିଛି। ଆଇଏମ୍ଡି ରିପୋର୍ଟ ଅନୁସାରେ, ଆସନ୍ତା ୨୩ କିମ୍ବା ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୫ କିମ୍ବା ୨୬ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଅନ୍ୟପଟେ ଆସନ୍ତା ୨୩ କିମ୍ବା ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ଆରବସାଗର ଏବଂ ପାର୍ଶ୍ବବର୍ତ୍ତୀ ଲାକ୍ଷାଦ୍ବୀପ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଆସନ୍ତା ୨୫ କିମ୍ବା ୨୬ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମାନ ସମୟରେ ଆରବସାଗର ଏବଂ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଇଏମ୍ଡି ସ୍ପଷ୍ଟ କରିଛି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ସମ୍ଭାବ୍ୟ ଦୁଇଟି ସିଷ୍ଟମ ମଧ୍ୟରୁ ଗୋଟିଏ ସିଷ୍ଟମ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। କିନ୍ତୁ, କେଉଁ ସିଷ୍ଟମ୍ ଘନୀଭୂତ ହେବ, ତାହା ଆଗକୁ ସ୍ପଷ୍ଟ ଆକଳନ କରାଯାଇପାରିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
Powered by Froala Editor